
ଇମ୍ଫାଲ, ୨୨ ଜୁଲାଇ (ହି.ସ.) ମଣିପୁରର କାମଜୋଙ୍ଗ ଜିଲ୍ଲାରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ବୁଧବାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ଅନ୍ତର୍ଗତ ନିର୍ମିତ ଏକ ବେଲି ପୋଲକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଏହି ଘଟଣା ଫଳରେ ଅନେକ ଗ୍ରାମର ଜିଲ୍ଲା ମୁଖ୍ୟାଳୟ ସହ ଥିବା ଏକମାତ୍ର ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।
ପୋଲିସର ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୯:୩୦ ସମୟରେ ଫାଙ୍ଗେ ଏବଂ ଚାଟ୍ରିକ ଗାଁ ମଧ୍ୟରେ ନମ୍ବାନ ଲୋକ ନଦୀ ଉପରେ ନିର୍ମିତ ପୋଲରେ ଘଟିଥିଲା। ପ୍ରାରମ୍ଭିକ ତଦନ୍ତରେ ପୋଲକୁ ଉଡ଼ାଇବା ପାଇଁ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବ୍ୟବହାର ହୋଇଥିବାର ଆଶଙ୍କା କରାଯାଇଛି।
ଆକ୍ରମଣକାରୀମାନେ ଘଟଣା ସମୟରେ ନଦୀ କୂଳରେ ଠିଆ ହୋଇଥିବା ଦୂରସଂଚାର ବିଭାଗର ଏକ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି।
ପୋଲିସ କହିଛି ଯେ, ଏହି ପୋଲଟି ଚାଟ୍ରିକ ଏବଂ ଆଖପାଖର ଗ୍ରାମଗୁଡ଼ିକୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ୁଥିବା ଏକମାତ୍ର ସଡ଼କ ମାର୍ଗ ଥିଲା। ଅଧିକାରୀମାନଙ୍କ ଅନୁସାରେ, ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା ସାର୍ବଜନିକ ଭିତିଭୂମିର କ୍ଷତି କରିବା, ପରିବହନ ଏବଂ ଯୋଗାଯୋଗ ସେବାକୁ ବାଧାପ୍ରାପ୍ତ କରିବା, ଲୋକଙ୍କ ଯାତାୟାତ ବନ୍ଦ କରିବା ଏବଂ ଅଂଚଳରେ ଭୟର ପରିବେଶ ସୃଷ୍ଟି କରିବା।
ପୋଲିସ ସ୍ୱତଃପ୍ରବୃତ ଭାବେ ମାମଲାର ସଂଜ୍ଞାନ ନେଇ ସିଏସଡି ଥାନାରେ ସମ୍ପର୍କିତ ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ପଛରେ କୌଣସି ଉଗ୍ରବାଦୀ ସଂଗଠନ ଏପର୍ଯ୍ୟନ୍ତ ଦାୟିତ୍ୱ ସ୍ୱୀକାର କରିନାହିଁ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ