
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.)- ୟୁକ୍ରେନର ଓଡେସା ବନ୍ଦରରୁ ଯାତ୍ରା କରୁଥିବା ବାଣିଜ୍ୟିକ ଜାହାଜ ଏମ୍. ଭି. ଗୋଲ୍ଡେନ୍ ଲିଓ ଉପରେ ହୋଇଥିବା ଆକ୍ରମଣରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଭାରତ ମଙ୍ଗଳବାର ଦିନ ରୁଷ୍ ର ପ୍ରଭାରୀ ରାଷ୍ଟ୍ରଦୂତ (ଚାର୍ଜ ଡି 'ଆଫେୟାର୍ସ ) ଭ୍ଲାଦିମିର ଲାଡାନୋଭଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଡକାଇ କଠୋର ପ୍ରତିବାଦ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ଏବଂ ନିରୀହ ନାଗରିକଙ୍କ ଜୀବନହାନି ସମ୍ପୂର୍ଣ୍ଣ ଅଗ୍ରହଣୀୟ ଅଟେ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଜୁଲାଇ ୧୯ ରେ ଏମଭି ଗୋଲ୍େଡନ୍ ଲିଓ ଉପରେ ଆକ୍ରମଣରେ ଚାରି ଜଣ ଭାରତୀୟ ନାଗରିକ ନିହତ ହୋଇଥିଲେ । ମନ୍ତ୍ରଣାଳୟ ରୁଷ୍ ର ଦାୟିତ୍ୱରେ ଥିବା ରାଷ୍ଟ୍ରଦୂତଙ୍କୁ ଭାରତର ଗମ୍ଭୀର ଚିନ୍ତା ବ୍ୟକ୍ତ କରି କହିଛି ଯେ, ଏଭଳି ଆକ୍ରମଣ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷା, ସଂରକ୍ଷା ଏବଂ ସ୍ଥିରତାକୁ ଦୁର୍ବଳ କରିଥାଏ । ଭାରତର ଏହି ଚିନ୍ତା ରୁଷ୍ କର୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଥିଲା ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଏବଂ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ଭଳି ଘଟଣାକୁ ଯେକୌଣସି ମୂଲ୍ୟରେ ଏଡ଼ାଇବା ଆବଶ୍ୟକ । ଭାରତ ଦୋହରାଇଛି ଯେ, ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷିତ ଏବଂ ବାଧାହୀନ ଗତିବିଧିକୁ ସୁନିଶ୍ଚିତ କରିବା ସମସ୍ତ ପକ୍ଷର ମିଳିତ ଦାୟିତ୍ୱ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏମଭି ଗୋଲ୍େଡନ୍ ଲିଓ ରବିବାର ଦିନ ୟୁକ୍ରେନର ଦକ୍ଷିଣ ସହର ଓଡେଶାରୁ ଯାତ୍ରା କରିଥିଲା । ଯାତ୍ରା ସମୟରେ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା, ଯାହା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା । ଜାହାଜରେ ପାଂଚ ଜଣ ଭାରତୀୟ ନାଗରିକଙ୍କ ସମେତ ମୋଟ୍ ୧୭ ଜଣ ନାବିକ ଦଳର ସଦସ୍ୟ ଥିଲେ । ଏହି ଆକ୍ରମଣରେ ଜାହାଜର ନଅ ଜଣ ନାବିକ ଦଳର ସଦସ୍ୟ ଏବଂ ବନ୍ଦରର ଜଣେ ୟୁକ୍ରେନୀୟ ପାଇଲଟ୍ ପ୍ରାଣ ହରାଇଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ମୃତକଙ୍କ ମଧ୍ୟରେ ଚାରି ଜଣ ଭାରତୀୟ ନାଗରିକ ଥିବାବେଳେ ଅନ୍ୟ ଜଣେ ଭାରତୀୟ ଗୁରୁତର ଆହତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ