
ନୂଆଦିଲ୍ଲୀ, ୨୧ ଜୁଲାଇ(ହି.ସ.) – ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ(ଆର୍ଏମ୍ଏଲ୍) ଡାକ୍ତରଖାନାକୁ ଯାଇଥିଲେ ଏବଂ ଜନ୍ତର ମନ୍ତରରୁ ସଂସଦ ପଦଯାତ୍ରା ସମୟରେ ଆହତ ହୋଇଥିବା ଛାତ୍ରମାନଙ୍କୁ ଭେଟିଥିଲେ। ସେ ଡାକ୍ତରଙ୍କ ଠାରୁ ଆହତମାନଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ।
ଗାନ୍ଧୀଙ୍କ ସହ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସ ସାଧାରଣ ସମ୍ପାଦକ(ସଂଗଠନ) କେସି ଭେନୁଗୋପାଳ ଏବଂ ସାଂସଦ ଦୀପେନ୍ଦର ହୁଡ଼ା ମଧ୍ୟ ଥିଲେ। କଂଗ୍ରେସ ନେତାମାନେ ଡାକ୍ତରଖାନାରେ ଭର୍ତି ହୋଇଥିବା ଛାତ୍ରମାନଙ୍କ ସହ କଥାବାର୍ତା କରିଥିଲେ ଏବଂ ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ।
କଂଗ୍ରେସର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ କହିଛି ଯେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କେସି ଭେନୁଗୋପାଳ ବିକ୍ଷୋଭ ସମୟରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଲାଠି ଚାର୍ଜରେ ଆହତ ହୋଇଥିବା ଛାତ୍ରମାନଙ୍କୁ ଭେଟିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିପଦରେ ପକାଯାଉଛି ଏବଂ ସେମାନଙ୍କ ସ୍ୱର ଉତୋଳନ କରିଥିବାରୁ ସେମାନଙ୍କ ଉପରେ ଲାଠି ବର୍ଷା କରାଯାଉଛି। ପ୍ରଶ୍ନପତ୍ର ଲିକ୍ ମାମଲା ପାଇଁ ସରକାର ଦାୟୀ ହେବା ଉଚିତ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଉଚିତ।
ସ୍ମରଣଯୋଗ୍ୟ ଯେ ସୋମବାର ଦିନ ଜନ୍ତର ମନ୍ତରରୁ ସଂସଦ ଅଭିମୁଖେ ଯାଉଥିବା ବିକ୍ଷୋଭକାରୀଙ୍କୁ ଅଟକାଇବା ସମୟରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନେକ ଛାତ୍ର ଆହତ ହୋଇଥିଲେ ଏବଂ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି