ପଶ୍ଚିମ ଘାଟରେ ବୈଜ୍ଞାନିକମାନେ ଲାଇକେନ୍ର ପାଂଚଟି ନୂଆ ପ୍ରଜାତି କଲେ ଆବିଷ୍କାର
ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) ଜୈବ ବିବିଧତାରେ ସମୃଦ୍ଧ ପଶ୍ଚିମ ଘାଟର ଜଙ୍ଗଳରେ ବୈଜ୍ଞାନିକମାନେ ଲାଇକେନ୍ ଗଠନକାରୀ ଫଫୁଦ୍ ଏଲୋଗ୍ରାଫାର ପାଂଚଟି ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି। ପରିବେଶ ସଂରକ୍ଷଣ ଏବଂ ବନ ପରିସ୍ଥିତିବିଜ୍ଞାନର ଅଧ୍ୟୟନ ପାଇଁ ଏହି ଆବିଷ୍କାରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉ
ପଶ୍ଚିମ ଘାଟରେ ବୈଜ୍ଞାନିକମାନେ ଲାଇକେନ୍ର ପାଂଚଟି ନୂଆ ପ୍ରଜାତି କଲେ ଆବିଷ୍କାର


ନୂଆଦିଲ୍ଲୀ, ୨୧ ଜୁଲାଇ (ହି.ସ.) ଜୈବ ବିବିଧତାରେ ସମୃଦ୍ଧ ପଶ୍ଚିମ ଘାଟର ଜଙ୍ଗଳରେ ବୈଜ୍ଞାନିକମାନେ ଲାଇକେନ୍ ଗଠନକାରୀ ଫଫୁଦ୍ ଏଲୋଗ୍ରାଫାର ପାଂଚଟି ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି। ପରିବେଶ ସଂରକ୍ଷଣ ଏବଂ ବନ ପରିସ୍ଥିତିବିଜ୍ଞାନର ଅଧ୍ୟୟନ ପାଇଁ ଏହି ଆବିଷ୍କାରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି, କାରଣ ଲାଇକେନ୍ ବାୟୁ ପ୍ରଦୂଷଣ ଏବଂ ବାସସ୍ଥାନରେ ହେଉଥିବା ପରିବର୍ତନ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ ଏବଂ ଜଙ୍ଗଳର ସ୍ୱାସ୍ଥ୍ୟର ପ୍ରମୁଖ ସୂଚକ ବୋଲି ବିବେଚିତ ହୁଏ।

ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସଟି)ର ସ୍ୱୟଂଶାସିତ ସଂସ୍ଥା ମ୍ୟାକ୍ସ ଆଘାରକର ଅନୁସନ୍ଧାନ ସଂସ୍ଥାନ, ପୁଣେର ବୈଜ୍ଞାନିକମାନେ ପାରମ୍ପରିକ ଶ୍ରେଣୀବିଭାଜନ ପଦ୍ଧତି ସହ ଆଧୁନିକ ଡିଏନଏ ବିଶ୍ଳେଷଣ ପ୍ରଯୁକ୍ତିର ବ୍ୟବହାର କରି ଏହି ଅଧ୍ୟୟନ କରିଥିଲେ। ବିଭାଗ ମଙ୍ଗଳବାର ଜାରି କରିଥିବା ବିଜ୍ଞପ୍ତିରେ କହିଛି ଯେ, ଗବେଷଣା ସମୟରେ ଏଲୋଗ୍ରାଫା କେରାଲେସିସ୍, ଏ. ନାୟକେ, ଏ. ପାରାକୋନସାଙ୍ଗୁଇନିଆ, ଏ. ପର୍ସିଷ୍ଟିନସ୍ପର୍ସା ଏବଂ ଏ. ସେମିକାର୍ବୋନିସାଟା ନାମକ ପାଂଚଟି ନୂଆ ପ୍ରଜାତିର ପରିଚୟ ମିଳିଛି।

ଗବେଷକମାନଙ୍କ କହିବା ଅନୁସାରେ, ଏହି ଆବିଷ୍କାର ଦ୍ୱାରା ପଶ୍ଚିମ ଘାଟର ଜୈବ ବିବିଧତା ଏବଂ ବିଭିନ୍ନ ପ୍ରଜାତିର ବିକାଶକ୍ରମକୁ ଅଧିକ ଭଲ ଭାବରେ ବୁଝିବାରେ ସାହାଯ୍ୟ ମିଳିବ। ଏହା ସହିତ, ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଂଚଳଗୁଡ଼ିକର ଚିହ୍ନଟ, ଦୀର୍ଘକାଳୀନ ପରିବେଶ ନିରୀକ୍ଷଣ ଏବଂ ବନ ସଂରକ୍ଷଣ ସମ୍ବନ୍ଧୀୟ ନୀତିଗୁଡ଼ିକୁ ବୈଜ୍ଞାନିକ ଆଧାର ପ୍ରଦାନ କରିବାରେ ମଧ୍ୟ ଏହି ଅଧ୍ୟୟନ ଉପଯୋଗୀ ସାବ୍ୟସ୍ତ ହେବ।

ଉଲ୍ଲେଖନୀୟ ଯେ, ଲାଇକେନ୍ ଦୁଇଟି ଜୀବ—କବକ (ଫଙ୍ଗସ୍) ଏବଂ ଶୈବାଳର ଏକ ସହଜୀବୀ ସଂଯୋଜନ। କବକ ଶୈବାଳକୁ ପାଣି ଏବଂ ଆଶ୍ରୟ ଯୋଗାଇଥାଏ, ଯେତେବେଳେ ଶୈବାଳ ପ୍ରକାଶ ସଂଶ୍ଳେଷଣ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରେ। ଏହା ମୁଖ୍ୟତଃ ଗଛର ଛାଲ, ପଥର ଏବଂ ମାଟି ଉପରେ ଦେଖିବାକୁ ମିଳେ। ଲାଇକେନ୍ ଅତ୍ୟଧିକ ସମ୍ବେଦନଶୀଳ। ଏଗୁଡ଼ିକ ପ୍ରଦୂଷିତ ଅଂଚଳରେ (ବିଶେଷକରି ସଲଫର ଡାଇଅକ୍ସାଇଡ୍ ଥିବା ସ୍ଥାନରେ) ବଢ଼େ ନାହିଁ, ସେଥିପାଇଁ ଏମାନଙ୍କୁ ବାୟୁ ପ୍ରଦୂଷଣର ପ୍ରାକୃତିକ ସୂଚକ ବୋଲି ଧରାଯାଏ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande