
ଭୁବନେଶ୍ବର, 22 ଜୁଲାଇ (ହି.ସ.)
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ । ନୂଆଦିଲ୍ଲୀରେ ଚାଲିଥିବା ଛାତ୍ର ଆନେ୍ଦାଳନର ସମାଧାନ ବର୍ବରୋଚିତ ଆକ୍ରମଣ ନୁହେଁ ବରଂ ଗଣତାନ୍ତ୍ରିକ ଆଲୋଚନା ମାଧ୍ୟମରେ ହେବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନକୁ ବିକୃତ କରିବାର ପ୍ରୟାସକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଦେଶରେ ପରୀକ୍ଷା ସୁପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ପଦୁଟିଏ ନ କହିତ ନବୀନ ପଟ୍ଟନାୟକ ମନ୍ତବ୍ୟକୁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ କାଉଣ୍ଟର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ଆଜି ଶଙ୍ଖ ଭବନରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଦେଶର ରାଜଧାନୀରେ ଦେଖାଦେଇଥିବା ଏହି ଅସନ୍ତୋଷ ସମଗ୍ର ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି । ଗତ ୧୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୯୯ଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ପ୍ରାୟ ୬.୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇବା ପରେ ସେମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ସରକାରଙ୍କ ଦାୟିତ୍ୱ । ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ଦେଶବିରୋଧୀ ଏବଂ ପାକିସ୍ତାନ ଓ ଚୀନ୍ର ଏଜେଣ୍ଟ ବୋଲି ଅଭିହିତ କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଶିକ୍ଷା ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରିବାରେ ସରକାର ବିଫଳ ହେଲେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଏହାର ନୈତିକ ଦାୟିତ୍ୱ ନେବାକୁ ପଡ଼ିବ । ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଦେବା ଉଚିତ୍ । କଟକର ସାଂସଦ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜଣେ ଜନପ୍ରତିନିଧିଙ୍କ ପାଇଁ ଶୋଭନୀୟ ନୁହେଁ ।
ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ସମଗ୍ର ଦେଶରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିବା ପରିବର୍ତ୍ତେ ଶ୍ରୀ ଭର୍ତ୍ତୃହରି ମହତାବ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ଦେଇ ସାଧାରଣ ଜନତାଙ୍କ ଦୃଷ୍ଟିକୁ ଭିନ୍ନ ଦିଗକୁ ନେବାକୁ ଚେଷ୍ଟା କରିଛନ୍ତି । ନବୀନ ପଟ୍ଟନାୟକ ସର୍ବଦା ଗଣତାନ୍ତ୍ରିକ ମୂଲ୍ୟବୋଧର ସପକ୍ଷରେ ରହିଆସିଛନ୍ତି । ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ସ୍ୱର ଉତ୍ତୋଳନ କରିଆସିଛନ୍ତି । ନବୀନ ପଟ୍ଟନାୟକଙ୍କ ବିବୃତି ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ନଥିଲା । ସେ କେବଳ ସରକାରଙ୍କୁ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବାକୁ ଅନୁରୋଧ କରିଥିଲେ । ଭର୍ତ୍ତୃହରି ମହତାବ ୭ ଥର ସାଂସଦ ଭାବେ ଜନପ୍ରତିନିଧିତ୍ୱ କରିଛନ୍ତି, ସେଥିମଧ୍ୟରୁ ୬ ଥର ବିଜୁ ଜନତା ଦଳରୁ ସାଂସଦ ହୋଇଛନ୍ତି । ସେ ସମୟରେ ନବୀନ ପଟ୍ଟନାୟକଙ୍କୁ ଭୂୟଂଶୀ ପ୍ରଶଂସା କରୁଥିଲେ, କିନ୍ତୁ ଆଜି ବିଜେପିରୁ ସାଂସଦ ହୋଇ ଏଭଳି ମନ୍ତବ୍ୟ ଦେଉଛନ୍ତି ନବୀନ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କରିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି ମହତାବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା