
ଭୁବନେଶ୍ବର , 22 ଜୁଲାଇ (ହି.ସ.) -ଚଳିତ ଖରିଫ ଚାଷ ଋତୁରେ ସମଗ୍ର ଓଡ଼ିଶାରେ ଦେଖାଦେଇଥିବା ସାରର ଘୋର ଅଭାବ, ବ୍ୟାପକ କଳାବଜାରୀ ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ କଲବଲ ହେଉଥିବାରୁ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଚଳିତ ଖରିଫ ଋତୁରେ ରାଜ୍ୟକୁ ପ୍ରାୟ ୧୧.୪୩ ଲକ୍ଷ ମେଟ୍ରିକ ଟନ ସାରର ଆବଶ୍ୟକତା ରହିଛି । କିନ୍ତୁ ୧୭ ଜୁଲାଇ ସୁଦ୍ଧା ମାତ୍ର ପ୍ରାୟ ୧.୮୧ ଲକ୍ଷ ମେଟ୍ରିକ ଟନ ସାର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଗୁଡ଼ିକରେ ପହଞ୍ଚିଛି । ଚାଷୀଙ୍କୁ ପ୍ରାୟ ୧.୧୪ ଲକ୍ଷ ମେଟ୍ରିକ ଟନ ସାର ବଣ୍ଟନ କରାଯାଇଛି । ସମଗ୍ର ଖରିଫ ଋତୁରେ ଆବଶ୍ୟକତାର ମାତ୍ର ୧୦ ପ୍ରତିଶତ ସାର ଯୋଗାଣ ହୋଇଥିବାରୁ ରାଜ୍ୟରେ କୃତ୍ରିମ ସାର ସଙ୍କଟ ସୃଷ୍ଟି ହୋଇଛି । ଧାନ ରୁଆ କାମର ଶୀର୍ଷ ସମୟରେ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି । କେନ୍ଦ୍ରରେ ବିଜେପି ସରକାର ପ୍ରାୟ ୧୨ ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ତାଳଚେର ସାର କାରଖାନାରେ ଏପର୍ଯ୍ୟନ୍ତ ସାର ଉତ୍ପାଦନ ହୋଇପାରିଲା ନାହିଁ । ୨୦୧୪ ମସିହାରେ ପ୍ରତି ଏକରରେ ସାର ବାବଦରେ ପ୍ରାୟ ୩,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ଏହା ବଢ଼ି ପ୍ରାୟ ୭,୦୦୦ରୁ ୭,୫୦୦ ଟଙ୍କାରେ ପହଞ୍ଚିଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦେଇଥିବା ଡବଲ ଇଞ୍ଜିନ ସରକାର ଚାଷୀମାନଙ୍କ ଉପରେ ଆର୍ଥିକ ବୋଝକୁ ଦ୍ୱିଗୁଣିତ କରୁଛନ୍ତି ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରାଜ୍ୟରେ ସାରର କୌଣସି ଅଭାବ ନଥିବା ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଅମୂଳକ । ବହୁ ଜିଲ୍ଲାରେ ଚାଷୀମାନେ ଗୋଟିଏ ବସ୍ତା ୟୁରିଆ ପାଇଁ ପ୍ୟାକ୍ସ ଓ ସାର ଦୋକାନ ଆଗରେ ସାରା ରାତି ଅପେକ୍ଷା କରି ରହୁଛନ୍ତି । ୟୁରିଆ ଅଭାବକୁ ଲୁଚାଇବା ପାଇଁ ସରକାର କମ୍ପ୍ଲେକ୍ସ ସାର ଓ ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦୁର୍ଭାଗ୍ୟଜନକ । ସରକାର ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ବିକଳ୍ପ ସାର ଚାଷୀଙ୍କୁ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେବାରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ, ଚାଷୀଙ୍କ ସମସ୍ୟା ଦୂର କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ।
ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ରାଜ୍ୟରେ ସାରର କୌଣସି ଅଭାବ ନଥିବା ସମବାୟ ମନ୍ତ୍ରୀ ଦାବି କରୁଥିବା ବେଳେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ଜିଲ୍ଲା ପ୍ରଶାସନକୁ ବିକଳ୍ପ ସାର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ବର୍ତ୍ତମାନ ୬୦ ପ୍ରତିଶତ ସାର ପ୍ୟାକ୍ସ, ଲ୍ୟାମ୍ପ୍ସ ଓ ସମବାୟ ସମିତି ମାଧ୍ୟମରେ ବଣ୍ଟନ କରାଯାଉଥିବା ବେଳେ ଅବଶିଷ୍ଟ ୪୦ ପ୍ରତିଶତ ହୋଲସେଲରଙ୍କ ମାଧ୍ୟମରେ ଯୋଗାଣ କରାଯାଉଛି । ଅନେକ ସମବାୟ ସମିତିରେ ହଜାର ହଜାର ପଞ୍ଜୀକୃତ ଚାଷୀ ଥିବା ସତ୍ତ୍ୱେ ପ୍ରତିଦିନ ମାତ୍ର ୩୦ରୁ ୭୦ ଜଣ ଚାଷୀଙ୍କୁ ସାର ବଣ୍ଟନ କରାଯାଉଛି । ଫଳରେ ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ସୁବର୍ଣ୍ଣପୁର ସମେତ ବହୁ ଜିଲ୍ଲାରେ ଚାଷୀମାନେ ସାର ପାଇବା ପାଇଁ ରାତିସାରା ଅପେକ୍ଷା କରୁଛନ୍ତି । ପ୍ରତ୍ୟେକ ଚାଷୀଙ୍କୁ ମାତ୍ର ଗୋଟିଏ ବସ୍ତା ୟୁରିଆ ଦିଆଯାଉଛି, ଯାହା ସମୁଦ୍ରକୁ ଶଙ୍ଖେ ପରି । କୁ୍ୟଆର କୋଡ୍ ଆଧାରିତ ଡିଜିଟାଲ ବଣ୍ଟନ ବ୍ୟବସ୍ଥା ଯୋଗୁଁ ଅନେକ ଚାଷୀ, ବିଶେଷକରି ମହିଳା ଚାଷୀ, ଭାଗଚାଷୀ ଏବଂ ସ୍ମାର୍ଟଫୋନ କିମ୍ୱା ଡିଜିଟାଲ ପେମେଣ୍ଟ ସୁବିଧା ନଥିବା ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଓଡ଼ିଶା ପାଇଁ ଆସୁଥିବା ସାରକୁ ପଡ଼ୋଶୀ ରାଜ୍ୟକୁ ବେଆଇନ ଭାବେ ଚାଲାଣ କରାଯାଉଛି । ସମବାୟ ସମିତିଗୁଡ଼ିକ ଚାଷୀଙ୍କୁ ୟୁରିଆ ସହିତ ବାଧ୍ୟତାମୂଳକ ଭାବେ ନାନୋ ୟୁରିଆ, ଜିଙ୍କ ଓ ଅନ୍ୟାନ୍ୟ ଉତ୍ପାଦ କିଣିବାକୁ ବାଧ୍ୟ କରୁଛନ୍ତି । ଯାହା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୁରନ୍ତ କୃଷି, ସମବାୟ, ଖାଦ୍ୟ ଯୋଗାଣ ଏବଂ ମାର୍କଫେଡ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକି ରାଜ୍ୟରେ ସାର ଆବଶ୍ୟକତାର ଆକଳନ କରନ୍ତୁ ଏବଂ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ସାର ଯୋଗାଣ ସୁନିଶ୍ଚିତ କରନ୍ତୁ । ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇକୁ ଆହୁରି ତୀବ୍ରତର କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା