
ପଞ୍ଜାବ ତିନି ଘଂଟା ପାଇଁ ହେଲା ଟୋଲ୍ ଫ୍ରି
ଚଣ୍ଡୀଗଡ଼, ୨୨ ଜୁଲାଇ(ହି.ସ.) – ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍କେଏମ୍)ର ଆହ୍ୱାନ କ୍ରମେ, ପ୍ରସ୍ତାବିତ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍ଟିଏ), ପଞ୍ଜାବ ସରକାରଙ୍କ ଲ୍ୟାଣ୍ଡ ପୁଲିଂ ଯୋଜନା ଏବଂ ଅନ୍ୟାନ୍ୟ ବିଚାରାଧୀନ ଦାବି ବିରୁଦ୍ଧରେ ବୁଧବାର ଦିନ ପଞ୍ଜାବର କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟର ଅନେକ ଟୋଲ ପ୍ଲାଜାକୁ ଟୋଲ ମୁକ୍ତ ରଖାଯାଇଥିଲା ଏବଂ ବିନା ଟୋଲ ଦେୟରେ ଯାନବାହନ ଚଳାଚଳ କରୁଥିଲା। ବହୁ ସଂଖ୍ୟକ କୃଷକ ଏବଂ ମହିଳା ଚାଷୀ ଭଟିଣ୍ଡା ଜିଲ୍ଲାର ଜିଦା, ଲେହରା ବେଗା, ବାଲୁଆନା, ଜସ୍ସି ବାଗୱାଲି ଏବଂ ଶେଖପୁରାର ଟୋଲ ପ୍ଲାଜାରେ ଏକାଠି ହୋଇଥିଲେ।
କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭକାରୀମାନେ ପ୍ରସ୍ତାବିତ ଭାରତ-ଆମେରିକା ଏଫ୍ଟିଏ ପ୍ରତ୍ୟାହାର, ୟୁରିଆ ଏବଂ ଡିଏପି ସାରର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ଏବଂ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଲୁଧିଆନାର ଲାଡୋୱାଲ, ଗୁଲାଲ ଏବଂ ଚୌକିମାନ ଟୋଲ ପ୍ଲାଜାକୁ ମଧ୍ୟ ତିନି ଘଂଟା ପାଇଁ ଟୋଲ ଫ୍ରି ରଖାଯାଇଥିଲା। କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର କର୍ପୋରେଟ୍ ସମର୍ଥକ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ କୃଷକ, ଶ୍ରମିକ ଏବଂ କର୍ମଚାରୀଙ୍କ ଦାବିକୁ ଅଣଦେଖା କରାଯାଉଛି। ବିକ୍ଷୋଭ ସମୟରେ କେତେକ ଟୋଲ ପ୍ଲାଜାରେ ଇଂଟରନେଟ ସେବା ବନ୍ଦ କରି ଦିଆଯାଇଥିଲା ଏବଂ ଗାଡ଼ି ଚାଳକଙ୍କ ମୋବାଇଲ ନମ୍ବର ମଧ୍ୟ ରେକର୍ଡ଼ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି