

ସମ୍ବଲପୁର, ୨୨ ଜୁଲାଇ(ହି.ସ.) – ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡଃ ବିଜୟ କେତନ ଉପାଧ୍ୟାୟ ସମ୍ବଲପୁରରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ମତଦାନ କେନ୍ଦ୍ରର ଯୁକ୍ତିସଙ୍ଗତୀ କରଣ ପୂର୍ବରୁ ଥିବା ସମୁଦାୟ ବୁଥ୍ ସଂଖ୍ୟା, ନବଗଠିତ ମତଦାନ କେନ୍ଦ୍ର, ଖସଡ଼ା ନିର୍ବାଚନୀ ତାଲିକା ପ୍ରସ୍ତୁତି, ନୋଟିସ୍ ଜାରି, ଶୁଣାଣି ପ୍ରକ୍ରିୟା, ଚୂଡ଼ାନ୍ତ ଭୋଟର ତାଲିକାରେ ଯୋଗ୍ୟ ମତଦାତାଙ୍କ ସାମିଲ, ଏବଂ କାର୍ଯ୍ୟାନ୍ୱୟନ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ସମ୍ବଲପୁର ଜିଲ୍ଲାରେ ନୋଟିସ୍ ଜେନେରେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବାବେଳେ, ନୋଟିସ୍ ପ୍ରଦାନ ପ୍ରକିୟା ଚାଲୁଛି ଏବଂ ଏକ କାଳିନ ଶୁଣାଣି କାର୍ଯ୍ୟ ମଧ୍ୟ ଚାଲିଛି। ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଯଦି କୌଣସି ଅସଙ୍ଗତି କିମ୍ବା ତ୍ରୁଟି ପରିଲକ୍ଷିତ ହୁଏ, ତେବେ ସମ୍ପୃକ୍ତ ନାଗରିକମାନେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ୧୩ଟି ଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏ ଉପସ୍ଥାପନ କରି ଶୁଣାଣିରେ ନିଜ ଦାବି ଉପସ୍ଥାପନ କରିପାରିବେ। ଡଃ ଉପାଧ୍ୟାୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ଅନ୍ତର୍ଭୁକ୍ତିମୂଳକ କରିବା ଦିଗରେ ସମସ୍ତ ରାଜନୈତିକ ଦଳର ସକ୍ରିୟ ସହଯୋଗ କାମନା କରିଥିଲେ। ସେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ସହ ସମସ୍ତ ଯୋଗ୍ୟ ମତଦାତାଙ୍କୁ ଚୂଡ଼ାନ୍ତ ନିର୍ବାଚନୀ ତାଲିକାରେ ସାମିଲ କରିବାକୁ ଗୁରୁତ୍ୱାରୋପ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ