


ସମ୍ବଲପୁର, ୨୨ ଜୁଲାଇ(ହି.ସ.) – ଆଗମୀ ଅଗଷ୍ଟ ମାସ ୧୫ ତାରିଖରେ ପାଳିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ- ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ପାତ୍ର, ଉପଖଣ୍ଡ ପୋଲିସ ଅଧିକାରୀ ଅଜୟ କୁମାର ମିଶ୍ରଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀ, ସମସ୍ତ ସ୍କୁଲ ଓ କଲେଜର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମାଜସେବୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଛାସେବୀ ଅନୁଷ୍ଠାନର କର୍ମଚାରୀମାନେ ଉପସ୍ଥିତ ରହି ଦିବସଟି କିପରି ମହା ସମାରୋହରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ସକାଳ ୫.୦୦ ମି. ସମୟରେ ସମ୍ବଲପୁର ମହାନଗର ନିଗମ ଅଂଚଳରେ ରାମଧୂନ ପରିବେଷଣ କରାଯିବା ପରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବୀରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପୂର୍ବାହ୍ନ ୯ ଘଟିକା ୧୫ ମିନଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ଘ.୭.୦୦ ଘଟିକା ରୁ ଘ.୭.୩୦ ମିନିଟ୍ ସମୟ ମଧ୍ୟ ରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଜାତୀୟ ଦିବସଟି ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଏଥିରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ। ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ। ଏଥିପାଇଁ ଅଗଷ୍ଟ ମାସ ୧୧, ୧୨ ଏବଂ ୧୩ ତାରିଖ ପର୍ଯ୍ୟନ୍ତ ରିଜର୍ଭ ପୁଲିସ ଗ୍ରାଉନ୍ଡ ଠାରେ ରିଜର୍ଭ ଇନ୍ସପେକ୍ଟରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ ଏବଂ ଅନ୍ୟାନ୍ୟ କୃତୀତ୍ୱ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ପୁରସ୍କାର ପ୍ରଦାନ କରାଯିବ। ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବର ଆୟୋଜିତ କାର୍ଯ୍ୟକ୍ରମ ଠାରେ ପୁରସ୍କୃତ କରାଯିବ। ଏଥିସହ ପ୍ୟାରେଡ ପଡିଆ ସାଜସଜ୍ଜା, ବ୍ୟାରିକେଡ଼ ନିର୍ମାଣ, ଶାନ୍ତିଶ୍ରୁଙ୍ଖଳା ରକ୍ଷା, ପାନୀୟଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ଅସ୍ଥାୟୀଶିବିର ବ୍ୟବସ୍ଥା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ସମ୍ବଲପୁର ମଣ୍ଡଳ କାରାଗାର, ନାରୀବନ୍ଦି ନିକେତନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁର୍ଗାପାଲି ସ୍ଥିତ ଦୟାମଣି ଜରା ନିବାସର ଅନ୍ତେବାସୀଙ୍କୁ ମିଷ୍ଠାନ୍ନ ଓ ଶୁଖିଲା ଖାଦ୍ଯ ବଣ୍ଟନ, ଓଡିଶା ସାଂସ୍କୃତିକ ସମାଜ ସଭା ଗୃହରେ ଉତ୍ସର୍ଗ ଆନୁକୁଲ୍ୟ ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ଯୋଗଦେବେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସଞ୍ଜୁକ୍ତା କୁଲୁ ସଭା ପରିଚାଳନା କରିବା ସହିତ ପ୍ରାରମ୍ଭରେ ସ୍ୱାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ