
ନୂଆଦିଲ୍ଲୀ, ୨୨ ଜୁଲାଇ (ହି.ସ.)- କେନ୍ଦ୍ରୀୟ ଆୟୁଷ ରାଜ୍ୟମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ପ୍ରତାପରାଓ ଜାଧବ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ଦେଶର ସମସ୍ତ ସାମରିକ ଏବଂ ଫିଲ୍ଡ ହସ୍ପିଟାଲରେ ଆୟୁଷ ଓପିଡି ଏବଂ ଆୟୁଷ ଆଧାରିତ ଚିକିତ୍ସା ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ବୁଧବାର ପ୍ରତାପରାଓ ଜାଧବ ଲେଖିଥିବା ଚିଠିରେ କହିଛନ୍ତି ଯେ ସଶସ୍ତ୍ର ବାହିନୀ ପାଖରେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଦୃଢ଼ ଅଛି, କିନ୍ତୁ ଆୟୁର୍ବେଦ, ଯୋଗ, ୟୁନାନୀ, ସିଦ୍ଧ ଏବଂ ହୋମିଓପାଥି ଭଳି ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ସାମିଲ କରାଗଲେ ସୈନିକମାନେ ପ୍ରତିରୋଧକ, ସ୍ୱାସ୍ଥ୍ୟ ସଂବର୍ଦ୍ଧକ ଏବଂ ସମଗ୍ର ସ୍ୱାସ୍ଥ୍ୟ ସେବାର ଉତମ ଲାଭ ପାଇପାରିବେ।
ସେ କହିଛନ୍ତି ଯେ ବର୍ତମାନ ରକ୍ଷା ମନ୍ତ୍ରାଳୟ ଅଧୀନରେ କେବଳ କିଛି ସଂସ୍ଥାରେ ଆୟୁଷ ସୁବିଧା ଉପଲବ୍ଧ ଅଛି, ଯେଉଁଥିରେ ଅଧିକାଂଶ ସାମରିକ ଏବଂ ଫିଲ୍ଡ ହସ୍ପିଟାଲରେ ଏପରି ସେବା ନାହିଁ। ତାଙ୍କ ମତାନୁସାରେ, ଆୟୁଷ ସେବାର ବିସ୍ତାର ହେଲେ ସୈନିକମାନେ ପ୍ରତିରୋଧକ ସ୍ୱାସ୍ଥ୍ୟ ଯତ୍ନ, ଜୀବନଶୈଳୀ ପରିଚାଳନା, ପୁନର୍ବାସ ଏବଂ ସମଗ୍ର ସ୍ୱାସ୍ଥ୍ୟ ସୁବିଧା ଅଧିକ ପ୍ରଭାବଶାଳୀ ଭାବରେ ପାଇପାରିବେ।
ପ୍ରତାପରାଓ ଜାଧବ ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ରକ୍ଷା ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି। ଏହା ସହିତ, ଆୟୁଷ ମନ୍ତ୍ରାଳୟ ଏହାର କାର୍ଯ୍ୟକାରୀକରଣ ପାଇଁ ପ୍ରାଯୁକ୍ତିକ ସହାୟତା, ବିଶେଷଜ୍ଞ ମାର୍ଗଦର୍ଶନ, ସଂସ୍ଥାଗତ ସହଯୋଗ ଏବଂ ଆବଶ୍ୟକ ପଡ଼ିଲେ ବୁଝାମଣା ସ୍ମାରକ (ଏମଓୟୁ) କରିବା ପ୍ରସ୍ତାବ ମଧ୍ୟ ଦେଇଛି।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ