
ନୂଆଦିଲ୍ଲୀ, ୨୭ ଜୁଲାଇ (ହି.ସ.)- ବିହାର ବନ୍ଦ ସମୟରେ ସିୱାନରେ ଘଟିଥିବା ହିଂସା ଏବଂ ଏକେ-୪୭ରୁ ଗୁଳି ଚାଳନାର ଭିଡ଼ିଓ ଭାଇରାଲ୍ ହେବା ପରେ ବିରୋଧୀ ଦଳର ନେତାମାନେ ଏହାକୁ ନିନ୍ଦା କରିଛନ୍ତି । ବିରୋଧୀମାନେ ଛାତ୍ରମାନଙ୍କ ଉପରେ ବର୍ବରତାର ଅଭିଯୋଗ ଆଣି ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଥିଲେ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ପରେ ଏକ୍ସରେ ଭିଡ଼ିଓ ସେୟାର କରି ଲେଖିଥିଲେ ଯେ, ଏହା ଗଣତନ୍ତ୍ର ଉପରେ ସବୁଠାରୁ ଗୁରୁତର ଆକ୍ରମଣ ମଧ୍ୟରୁ ଗୋଟିଏ । ସ୍ୱର ଉତୋଳନ କରିଥିବାରୁ ଦେଶର ଇତିହାସରେ କେବେବି ଛାତ୍ରମାନଙ୍କୁ ଅପରାଧୀଙ୍କ ଭଳି ମାଡ଼ ଏବଂ ଟଣାଓଟରା କରାଯାଇନାହିଁ । ବିହାରରେ ଛାତ୍ରମାନଙ୍କ ଉପରେ ଏ. କେ.-୪୭ ବ୍ୟବହାର କରାଯାଇଛି କି ଏବଂ ବିଜେପି ଶାସିତ ରାଜ୍ୟରେ ଛାତ୍ରମାନଙ୍କୁ କାହିଁକି ଉଠାଇ ନିଆଯାଉଛି? ସେ କହିଥିଲେ ଯେ ଯେଉଁମାନେ ଦାୟୀ ସେମାନେ ଉତରଦାୟିତ୍ୱରୁ ବର୍ତି ପାରିବେ ନାହିଁ ।
ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ସମଗ୍ର ବ୍ୟବସ୍ଥା ଛାତ୍ରମାନଙ୍କ ବିରୋଧରେ ଘାତକ ଅଟେ । ଖବର ଆସୁଛି ଯେ ବିହାରରେ ବିକ୍ଷୋଭକାରୀ ଛାତ୍ରମାନଙ୍କ ଉପରେ ଏକେ-୪୭ରୁ ଗୁଳି ଚାଳନା କରାଯାଇଥିଲା ଏବଂ ଶହ ଶହ ଛାତ୍ରଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଏତଲା କରାଯାଉଛି । ଛାତ୍ରମାନଙ୍କ ବିରୋଧରେ କୌଣସି ଏଫ୍. ଆଇ. ଆର. କରାଯିବ ନାହିଁ ଏବଂ ସେମାନଙ୍କୁ ମୁକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡେ ଗଲା? ଦିଲ୍ଲୀରେ ଛାତ୍ରମାନଙ୍କ ଉପରେ ପେଲେଟ ବନ୍ଧୁକ ଏବଂ ବିହାରରେ ଏ. କେ.-୪୭ ଗୁଳି ଚାଳନା, ସବୁଆଡ଼େ ପାଟର୍ଣ୍ଣ ସମାନ । ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ କ୍ଷମା ମାଗିବା ଉଚିତ୍ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏ. କେ.-୪୭ ଏବଂ ପେଲେଟ ବନ୍ଧୁକ ବ୍ୟବହାର କରାଯାଉଛି । ଏହି ଛାତ୍ରମାନେ ଆତଙ୍କବାଦୀ କି? ବିହାର ଏବଂ ବଙ୍ଗାଲରେ ପୁଣିଥରେ ଛାତ୍ରମାନଙ୍କ ବିରୋଧରେ ଏଫ୍. ଆଇ. ଆର. ପଞ୍ଜିକୃତ କରିଛନ୍ତି । ଅନେକ ଝିଅଙ୍କ ପିତାମାତାଙ୍କୁ ଧମକ ଦିଆଯାଉଛି ଏବଂ ସେମାନେ କାହିଁକି ସେମାନଙ୍କ ଝିଅମାନଙ୍କୁ ଆନ୍ଦୋଳନକୁ ପଠାଇଛନ୍ତି ବୋଲି ପଚରୁଛନ୍ତି । ଭାରତରେ ଝିଅମାନେ ପ୍ରଦର୍ଶନରେ ଅଂଶଗ୍ରହଣ କରିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ