
ନୂଆଦିଲ୍ଲୀ, ୨୭ ଜୁଲାଇ(ହି.ସ.) – ସଂସଦର ମୌସୁମୀ ଅଧିବେଶନର ଅଷ୍ଟମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ମଙ୍ଗଳବାର(ଆସନ୍ତାକାଲି) ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି।
ସୋମବାର ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ରାତି ୧୧ଟାରେ ଗୃହରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ। ତେବେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଲୋଚନା ହୋଇପାରିନଥିଲା। ଛାତ୍ରମାନଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିତର୍କ ପାଇଁ ବିରୋଧୀମାନେ ଜିଦ୍ ଧରି ରହିଥିଲେ।
ଏହାପୂର୍ବରୁ ଗଣ୍ଡଗୋଳ ମଧ୍ୟରେ ଲୋକସଭାକୁ ପ୍ରଥମେ ମଧ୍ୟାହ୍ନ ୧୨ଟାରେ ତା'ପରେ ଅପରାହ୍ନ ୨ଟାରେ ଏବଂ ତା'ପରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏହାପରେ ବିରୋଧୀ ଦଳଗୁଡ଼ିକର ପ୍ରବଳ ହଟ୍ଟଗୋଳ ଯୋଗୁଁ ଦିନର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ସଂସଦକୁ ସ୍ଥଗିତ ରଖାଯାଇଛି।
ଗଣ୍ଡଗୋଳ ଯୋଗୁଁ ଲୋକସଭାର କାର୍ଯ୍ୟ ଦିନକୁ ତିନିଥର ସ୍ଥଗିତ ରଖାଯାଇଥିଲା। ଯେତେବେଳେ ବି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା, କଂଗ୍ରେସ, ସମାଜବାଦୀ ପାର୍ଟିର ସାଂସଦମାନେ ବ୍ୟାନର ଓ ପୋଷ୍ଟର ଧରି ମଧ୍ୟଭାଗରେ ପହଂଚି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ସରକାର ଏବଂ ବିରୋଧୀ ସାଂସଦମାନେ ଏକାଠି ହୋଇ ଏହି ବିଲ୍ ଉପରେ ଆଲୋଚନା କରିବା ଉଚିତ। ଏହାପରେ ବିର୍ଲା କଂଗ୍ରେସ ସାଂସଦ କେସି ଭେନୁଗୋପାଳ ଏବଂ ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବଙ୍କୁ ଭେଟିଥିଲେ।
ଏଥିସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କହିଛନ୍ତି ଯେ ସାର୍ବଜନୀନ ପରୀକ୍ଷା(ଅନୁଚିତ ଉପାୟର ପ୍ରତିରୋଧ)(ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ପାଇଁ ବିରୋଧୀ କାହିଁକି ସ୍ଲୋଗାନ ଦେଉଛନ୍ତି ତାହା ମୋର ବୁଝିବା ବାହାରେ। ରିଜିଜୁ କହିଥିଲେ ଯେ ସମଗ୍ର ଦେଶର ଯୁବପିଢ଼ିଙ୍କ ନଜର ଏହି ବିଲ୍ ଉପରେ ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି