
ନୂଆଦିଲ୍ଲୀ, ୨୭ ଜୁଲାଇ(ହି.ସ.) – ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ(ପିଏମ୍ଶ୍ରୀ) ଯୋଜନା ଅଧିନରେ ସାରା ଦେଶରେ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯାଇଛି। ସଂସ୍କୃତ, ଉର୍ଦ୍ଦୁ ଏବଂ ବିଭିନ୍ନ ଆଂଚଳିକ ଭାଷାର ଶିକ୍ଷାଦାନ ପାଇଁ ଏହି ବିଦ୍ୟାଳୟଗୁଡ଼ିକରେ ବହୁ ସଂଖ୍ୟକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଆଂଚଳିକ ଭାଷା ପାଇଁ ୧୩,୦୯୨, ସଂସ୍କୃତ ପାଇଁ ୯,୧୫୨ ଏବଂ ଉର୍ଦ୍ଦୁ ପାଇଁ ୬,୧୦୨ ଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଇଛି।
ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ସୋମବାର ଲୋକସଭାରେ ଏକ ଲିଖିତ ଉତରରେ ସୂଚନା ଦେଇଛନ୍ତି ଯେ ପିଏମ୍ଶ୍ରୀ ହେଉଛି ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା, ଯାହାର ଉଦ୍ଦେଶ୍ୟ ହେଉଛି ଜାତୀୟ ଶିକ୍ଷା ନୀତି(ଏନ୍ଇପି) ୨୦୨୦ ଅନୁଯାୟୀ ସାରା ଦେଶରେ ଅଧିକ ବିଦ୍ୟାଳୟକୁ ଆଧୁନିକ, ସମାବେଶୀ ଏବଂ ଆଦର୍ଶ ବିଦ୍ୟାଳୟ ଭାବରେ ବିକଶିତ କରିବା। ମନ୍ତ୍ରୀଙ୍କ ଅନୁଯାୟୀ, ମନୋନୀତ ପିଏମ୍ଶ୍ରୀ ବିଦ୍ୟାଳୟଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(କେଭିଏସ୍), ନବୋଦୟ ବିଦ୍ୟାଳୟ ସମିତି(ଏନ୍ଭିଏସ୍) ଏବଂ ଏନ୍.ସି.ଇ.ଆର୍.ଟି.ର ବିଦ୍ୟାଳୟ ବ୍ୟତୀତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ସରକାରୀ ଏବଂ ସହାୟତା ପ୍ରାପ୍ତ ବିଦ୍ୟାଳୟ ଅନ୍ତର୍ଭୁକ୍ତ।
ରାଜ୍ୟ ତଥ୍ୟ ଅନୁଯାୟୀ, ଉତରପ୍ରଦେଶରେ ସର୍ବାଧିକ ସଂଖ୍ୟକ ୧,୮୮୮ ପିଏମ୍ଶ୍ରୀ ବିଦ୍ୟାଳୟ ଚୟନ କରାଯାଇଛି। ଏହାପରେ ଆନ୍ଧ୍ର ପ୍ରଦେଶରେ ୯୮୨ଟି, ମହାରାଷ୍ଟ୍ରରେ ୯୪୬ଟି, ମଧ୍ୟପ୍ରଦେଶରେ ୯୪୪ଟି, ବିହାରରେ ୯୦୪ଟି, ଓଡ଼ିଶାରେ ୮୪୦ଟି ଏବଂ ତେଲେଙ୍ଗାନାରେ ୮୩୨ଟି ବିଦ୍ୟାଳୟ ରହିଛି।
ଭାଷା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ଆଂଚଳିକ ଭାଷା ପାଇଁ ସର୍ବାଧିକ ୨,୧୪୨ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏହାପରେ ତେଲେଙ୍ଗାନା ୧,୬୬୬, କର୍ଣ୍ଣାଟକ ୧,୧୧୫ ଏବଂ ପଞ୍ଜାବରେ ୯୨୨ ଜଣ ଆଂଚଳିକ ଭାଷା ଶିକ୍ଷକ ଅଛନ୍ତି। ସଂସ୍କୃତ ଶିକ୍ଷକଙ୍କ ସଂଖ୍ୟା ମଧ୍ୟପ୍ରଦେଶରେ ୭୬୮, ରାଜସ୍ଥାନରେ ୭୬୮, ଓଡ଼ିଶାରେ ୭୩୮ ଏବଂ ବିହାରରେ ୭୩୬ ଥିବାବେଳେ ଉର୍ଦ୍ଦୁ ଶିକ୍ଷକଙ୍କ ସର୍ବାଧିକ ନିଯୁକ୍ତି ବିହାର(୬୯୧), ଉତର ପ୍ରଦେଶ(୩୫୧) ଏବଂ ଜାମ୍ମୁ କାଶ୍ମୀର(୩୨୩)ରେ ରେକର୍ଡ଼ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି