
ଚଣ୍ଡିଗଡ଼, ୨୭ ଜୁଲାଇ (ହି.ସ.)- ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ସାଙ୍ଗ୍ରୁରସ୍ଥିତ ବିଜେପି କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ଫିଙ୍ଗାଯାଇଥିଲା । ଏହି ଘଟଣାରେ କାର୍ଯ୍ୟାଳୟ କାନ୍ଥର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ଏହି ମାମଲାର ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍. ଆଇ. ଟି.) ଗଠନ କରିଛି ଏବଂ ବିଜେପି କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।
ପୋଲିସର କହିବା ଅନୁଯାୟୀ, ରବିବାର ଏବଂ ସୋମବାର ମଧ୍ୟବର୍ତୀ ରାତିରେ ପ୍ରାୟ ୨ଟା ୩୦ ରୁ ୩ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆକ୍ରମଣକାରୀମାନେ ଏକ କାଚ ବୋତଲରେ ପେଟ୍ରୋଲ ଭର୍ତି କରି କାର୍ଯ୍ୟାଳୟ ପରିସର ଆଡକୁ ଫିଙ୍ଗି ଦେଇଥିଲେ ।
ସାଙ୍ଗ୍ରୁର ଏସପି ଦେବେନ୍ଦ୍ର ଅତ୍ରି କହିଛନ୍ତି ଯେ, ସୋମବାର ସକାଳେ ବିଜେପି କାର୍ଯ୍ୟାଳୟ ଉପରେ ଏକ ବୋତଲରେ ଆକ୍ରମଣ କରାଯାଇଥିବା ନେଇ ସୂଚନା ମିଳିଥିଲା । ଏହା ପରେ ଡି. ଏସ୍. ପି. ଦଲବୀର ସିଂହ ଏବଂ ଥାନା ପ୍ରଭାରୀଙ୍କ ନେତୃତ୍ୱରେ ପୋଲିସ ଦଳ ଘଟଣାସ୍ଥଳରେ ପହଂଚିଥିଲେ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବୋତଲଟି ବାହାର ବଗିଚାର କାନ୍ଥ ଉପରୁ ଫିଙ୍ଗି ଦିଆଯାଇଥିଲା, ଯାହା କୋଠାର ଦୁଇଟି ଅଂଶ ମଧ୍ୟରେ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଅଗ୍ନିକାଣ୍ଡର ସଙ୍କେତ ମଧ୍ୟ ମିଳିଥିଲା । ବର୍ତମାନ ଏହି ମାମଲାର ସମସ୍ତ ଦିଗରୁ ତଦନ୍ତ କରାଯାଉଛି, ତେଣୁ ବର୍ତମାନ ଅଧିକ ସୂଚନା ସେୟାର କରାଯାଇପାରିବ ନାହିଁ । ଏହି ଘଟଣାରେ ଏକ ମାମଲା ରୁଜୁ ହେବ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଉକ୍ତ ଅଂଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି । ସିସିଟିଭି ଫୁଟେଜ୍ ଯାଂଚ୍ କରାଯାଉଛି ।
ଏହି ସମୟରେ, ସାଙ୍ଗ୍ରୁର ବିଜେପି ନେତା ରଣଦୀପ ଦେଓଲ କହିଛନ୍ତି ଯେ, ସୋମବାର ସକାଳେ, ତତ୍ୱାବଧାରକ ସୂଚନା ଦେଇଥିଲେ ଯେ, ଅଫିସରେ ନିଆଁ ଲାଗିଛି, ସେ ଏହାର ଫଟୋ ପଠାଇଥିଲେ । ସେ ତୁରନ୍ତ ରାଜ୍ୟ ବିଜେପି ସଭାପତି କେୱଲ ଧିଲୋନଙ୍କୁ ଏହି ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ୧ ଏପ୍ରିଲ ୨୦୨୬ ରେ ଚଣ୍ଡିଗଡ଼ ସ୍ଥିତ ବିଜେପି ମୁଖ୍ୟାଳୟ ଉପରେ ଏକ ଗ୍ରେନେଡ୍ ଆକ୍ରମଣ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ