ମହାନଦୀ ଜଳ ବିବାଦ ; ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି
ରାଜ୍ୟ ସରକାର: ବିଜେଡି
ବୈଠକରେ ହୋଇଥିବା ଆଲୋଚନାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର ଭୁବନେଶ୍ବର , 01 ଅଗଷ୍ଟ (ହି.ସ.) - ବିଜେପି ସରକାରର ଅପାରଗତା ଯୋଗୁଁ ମହାନଦୀ ଜଳ ବିବାଦର ସମାଧାନ ହେବାରେ ବିଳମ୍ବ ହେଉଛି । ଆଜି ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଉପୁଜିଛି ତାହା ସମ୍ପୂର୍ଣ୍ଣ ମନୁଷ୍ୟକୃତ । ଦିଲ୍ଲୀରେ ମହା
ମହାନଦୀ ଜଳ ବିବାଦ ; ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି
ରାଜ୍ୟ ସରକାର: ବିଜେଡି


ବୈଠକରେ ହୋଇଥିବା ଆଲୋଚନାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ବର , 01 ଅଗଷ୍ଟ (ହି.ସ.) - ବିଜେପି ସରକାରର ଅପାରଗତା ଯୋଗୁଁ ମହାନଦୀ ଜଳ ବିବାଦର ସମାଧାନ ହେବାରେ ବିଳମ୍ବ ହେଉଛି । ଆଜି ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଉପୁଜିଛି ତାହା ସମ୍ପୂର୍ଣ୍ଣ ମନୁଷ୍ୟକୃତ । ଦିଲ୍ଲୀରେ ମହାନଦୀ ଜଳ ବିବାଦ ନେଇ ବୈଠକରେ ହୋଇଥିବା ଆଲୋଚନାକୁ ଜାଣିଶୁଣି ସାର୍ବଜନୀନ ନ କରି ଓଡ଼ିଶାବାସୀଙ୍କୁ ମିଛ ଆଶ୍ୱାସନା ଦେଇ ଭୁଅାଁ ବୁଲାଉଥିବାରୁ ରାଜ୍ୟ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସୀପାତ୍ର ମହାନଦୀ ଜଳ ବିବାଦ ସମାଧାନରେ ବିଜେପି ସରକାରର ଅପାରଗପଣିଆକୁ କଡ଼ା ନିନ୍ଦା କରିଛନ୍ତି । ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଓଡ଼ିଶାର କୌଣସି କଥାକୁ ଛତିଶଗଡ଼ ସରକାର ତିଳେ ମାତ୍ର ଭୃକ୍ଷେପ କରୁନାହିଁ । ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି ଓଡ଼ିଶା ସରକାର । ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ କେନ୍ଦ୍ର ସରକାର, ଓଡିଶା ସରକାର ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ । ତେବେ ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ପୂର୍ବରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତ୍ତି ପ୍ରଦାନ କରିଥିଲେ । କିନ୍ତୁ କେଉଁ ଆଧାରରେ ଦିଲ୍ଲୀରେ ଆଲୋଚନା ହେଲା, ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାଇବା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ । ଛତିଶଗଡ ସରକାରଙ୍କ ମନମାନି ଯୋଗୁଁ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ପାଇଁ ରୁଲକର୍ଭ ନୀତିର ଅନୁପାଳନ ହୋଇପାରୁ ନାହିଁ । ଛତିଶଗଡର ପଛୁଆ ପାଣି ହୀରାକୁଦକୁ ବିପଦ ସୃଷ୍ଟି କରିବା ସହ ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ ହେଉଛି । ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚୁପ୍ ନରହି ଲଢ଼େଇ କରନ୍ତୁ । ମହାନଦୀ ଜଳ ବିବାଦର ସମାଧାନ ନେଇ ଦିଲ୍ଲୀରେ ରାଜ୍ୟ ସରକାର କ’ଣ ଆଲୋଚନା କରିଲେ ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାନ୍ତୁ ।

ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଖରାଦିନେ ମହାନଦୀ ଶୁଖିଲା ପଡ଼ିଥିବା ବେଳେ ରାଜ୍ୟ ସରକାର ଆଲୋଚନା କରିଲେ ନାହିଁ । ବର୍ଷା ସମୟରେ ଆଲୋଚନା କରିଲେ କାହିଁକି? ଛତିଶଗଡ ପାଖରେ ୨୪ ଲକ୍ଷ ମିଲିୟନ ଏକର ଫୁଟ ପାଣି ଥିବାବେଳେ ୧୦ ଲକ୍ଷ ମିଲିୟନ ଏକର ଫୁଟ ପାଣି ବ୍ୟବହାର କରିବା ପାଇଁ ତତ୍କାଳୀନ ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଛତିଶଗଡ ମହାନଦୀ ଜଳର ୨୭ ଲକ୍ଷ ମିଲିୟନ ଏକର ଫୁଟ ଜଳ ଆବଶ୍ୟକ କରୁଥିବାରୁ ଜଳ ବିବାଦ ମୁଣ୍ଡ ଟେକିଥିଲା । ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ପରିଚାଳନା ଓ କୃଷି କାର୍ଯ୍ୟ ପାଇଁ ଓଡିଶାକୁ ୧.୭୪ ମିଲିୟନ ଏକର ଫୁଟ ପାଣିର ଆବଶ୍ୟକତା ଥିବାବେଳେ ଛତିଶଗଡ ନିଜର ମନମାନି କରି ତାହା ଦେଉନାହିଁ । ଖରାଦିନେ କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ ରଖୁଛି ଛତିଶଗଡ଼, ଯାହା ଫଳରେ ଓଡ଼ିଶା ପଟ ଶୁଖିଲା ପଡୁଛି । ଫଳରେ ରବି ଋତୁ ଚାଷରେ ବାଧା ସୃଷ୍ଟି ହେଉଛି । ବର୍ଷ ତମାମ ପାଣି ଅଟକାଇ ରଖୁଥିବା ବେଳେ ବନ୍ୟା ସମୟରେ କଲମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ ଖୋଲି ଦେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ମହାନଦୀ ଜଳ ବିବାଦକୁ ନେଇ ବିଜେପି ଦଳ ଓଡ଼ିଶାରେ ବିରୋଧୀ ଦଳରେ ଥିବାବେଳେ ତକ୍ରାଳୀନ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ । ଏବେ ସରକାରକୁ ଆସିବା ପରେ ତାହାକୁ ଭୁଲି ଯାଇଛନ୍ତି । ଗତ ଜୁନ ୨୦୨୪ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସତ୍ୟବାଦୀ ଗସ୍ତରେ ଆସି ୩ ମାସରେ ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି କହିଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଦଳୀୟ ସ୍ୱାର୍ଥକୁ ଛାଡି ଓଡ଼ିଶାର ସ୍ୱାର୍ଥ ପାଇଁ ନିଜକୁ ସମର୍ପଣ କରନ୍ତୁ । ଅନ୍ୟ ମାନଙ୍କୁ ଖୁସି କରାଇବାକୁ ଛତିଶଗଡ ପାଖରେ ଓଡ଼ିଶାକୁ ବିକି ନ ଦିଅନ୍ତୁ । ଛତିଶଗଡ ସରକାରର ମନମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶା ଉପେକ୍ଷିତ ହେଉଛି । ରାଜ୍ୟ ସରକାର ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande