
ଭଦ୍ରକ, ୩ ଅଗଷ୍ଟ (ହି.ସ.) -ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ମଙ୍ଗଳପୁର ଗ୍ରାମ ନିକଟରେ ରହି କେଇସି ନାମକ ଏକ କମ୍ପାନୀ ଧାମରା ବନ୍ଦର କାର୍ଯ୍ୟ କରୁଥିଲା।ସେହି କମ୍ପାନୀରେ ତିହିଡି ଥାନା ଅଧିନ ଅମର ନାଥ ସହାଣୀଙ୍କ ପୁଅ ମୁକ୍ତିକାନ୍ତ ସହାଣୀ (୩୬) ଓ ମହରମପୁର ଗ୍ରାମର ରବିନ୍ଦ୍ର ରାଉତଙ୍କ ପୁଅ ଉମାକାନ୍ତ ରାଉତ ( ୨୫) କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କମ୍ପାନୀ ବନ୍ଦ ହୋଇଯାଇଥିବାରୁ ମୁକ୍ତିକାନ୍ତ ଓ ଉମାକାନ୍ତ କମ୍ପାନୀରୁ ଏସି,ଟିଭି,ତାର ଓ ରେଳପଥ ଲୁହା ସମେତ ବିଭିନ୍ନ ସାମଗ୍ରୀ ଚୋରିକରି ନେଉଥିଲେ। ମାତ୍ର ଶନିବାର ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ରୋଜେନ ମୁର୍ମୁ ଦିନ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଏକ ଅଟୋରିକ୍ସାରେ କିଛି ସମଗ୍ରୀ ନନ୍ଦପୁର ବଜାର ନିକଟରେ ଯାଉଥିବା ନଜରକୁ ଆସିଥିଲା।ପୋଲିସ ଅଟୋରିକ୍ସାକୁ ଧରି ଥାନାକୁ ଆଣିଥିଲେ। ପରେ କମ୍ପାନୀର ସୁରକ୍ଷାକର୍ମୀ ଭାବେ କାର୍ଯ୍ୟକରୁଥିବା ମୁକ୍ତିକାନ୍ତକୁ ଥାନାକୁ ଆଣି ପଚରା ଉଚରା କରିବା ବେଳେ ସାମଗ୍ରୀ ସବୁ କମ୍ପାନୀରୁ ଚୋରିକରି ଅଣାଯାଇଥିବା ଜଣାପଡିଥିଲା। କମ୍ପାନୀ ପିରାହାଟ ଥାନା ଅଧିନରେ ଥିବାରୁ ତଦନ୍ତପରେ ତିହିଡି ପୋଲିସ ଚୋରି ଘଟଣାକୁ ପିରାହାଟ ଥାନାକୁ ଦେଇଥିଲେ। ତେବେ ଏସମ୍ପର୍କରେ ପିରାହାଟ ଆଇଆଇସି ରୋଜାଲିନ ବେହେରା ୧୭୯/୨୬ରେ ଏକ ମକଦ୍ଧମା ରୁଜୁକରି କର୍ମଚାରୀ ମୁକ୍ତିକାନ୍ତ ଓ ଉମାକାନ୍ତଙ୍କ ସମେତ ଚୋରା ସାମଗ୍ରୀ କିଣିଥିବା ନନ୍ଦପୁରର ଗୁଲାମ ପରଭେଜ (୨୦) ଓ ରାଜ ସାହା (୨୧)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ଚୋରି ସାମଗ୍ରୀ ଓ ଅଟୋରିକ୍ସାକୁ ଜବତ କରିଥିଲେ।ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପିରାହାଟ ଆଇଆଇସି ବେହେରା କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ