
ନୂଆପଡ଼ା, ୧ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ବୋଡେନ ବ୍ଲକର ବର୍ଷା ଓ ବନ୍ୟାପ୍ରଭାବିତ ବିଭିନ୍ନ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ଅବସରରେ ଜିଲ୍ଲାପାଳ କର୍ଲାକୋଟସ୍ଥିତ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରାଯାଇଥିବା ଜଣାପଡ଼ିବା ପରେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଧାନଶିକ୍ଷକଙ୍କ ସମେତ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ନିୟମାନୁସାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।
ଏହାପରେ ସେ କର୍ଲାକୋଟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପରିଦର୍ଶନ କରି ବର୍ଷାଜନିତ ଘରଭଙ୍ଗା ଓ ଫସଲ କ୍ଷୟକ୍ଷତି ସର୍ଭେକୁ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଏହି କାର୍ଯ୍ୟର ତଦାରଖ କରିବାକୁ କହିଥିଲେ। ସ୍ଥାନୀୟ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ସରଗିମୁଣ୍ଡାରୁ ଆମେରା ରାସ୍ତାର ମରାମତି କାର୍ଯ୍ୟକୁ ୧୫ ଦିନ ମଧ୍ୟରେ ସମ୍ପନ୍ନ କରିବାକୁ ବୋଡେନ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦଙ୍କୁ ଏହାର ତଦାରଖ କରିବାକୁ କୁହାଯାଇଛି। ଜିଲ୍ଲାପାଳ ଦରଗାଁ ଗ୍ରାମପଂଚାୟତର କୋଦାମୁଣ୍ଡାପଡ଼ା ବନ୍ୟାପ୍ରଭାବିତ ଗ୍ରାମ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ଅସ୍ଥାୟୀ ଆଶ୍ରୟସ୍ଥଳରେ ରହୁଥିବା ସ୍ଥାନାନ୍ତରିତ ପରିବାରମାନଙ୍କ ପାଇଁ ଚାଲିଥିବା ମାଗଣା ରନ୍ଧନଶାଳା ଓ ଖାଦ୍ୟ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହାସହ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ଓ କ୍ଷୟକ୍ଷତି ସର୍ଭେ ଶୀଘ୍ର ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀଙ୍କ ଦାବି ଅନୁଯାୟୀ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଜଳାଶୟରୁ ବର୍ଷା ସମୟରେ ଆସୁଥିବା ପାଣିର ପ୍ରବାହ ନିୟନ୍ତ୍ରଣ ପାଇଁ ସୁରକ୍ଷା ପ୍ରାଚୀର ନିର୍ମାଣ ଏବଂ ସତୀଘାଟ ନିକଟରେ ସେତୁ ନିର୍ମାଣ ପ୍ରସଙ୍ଗରେ ଜିଲ୍ଲାପାଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ସ୍ଥଳ ପରିଦର୍ଶନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ବୋଡେନ ବିଡିଓ ଚିନ୍ମୟ ସାଗର, ତହସିଲଦାର ସରିତା ଗୁପ୍ତା, ସ୍ଥାନୀୟ ଜନପ୍ରତିନିଧି ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ