
ଜୟପୁର, ୧ ଅଗଷ୍ଟ (ହି.ସ.)- ଆଜି ସକାଳୁ ସକାଳୁ ଗାଁ ଭିତରେ ଭାଲୁ। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି କୁମୁଲି ଗାଁକୁ ପଶିଲା ଭାଲୁ। କ୍ୟାମେରାରେ କଏଦ ହେଲା ଭାଲୁର ଚଳପ୍ରଚଳ। ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଲେ ଗ୍ରାମବାସୀ। ପରେ ଏକାଠି ହୋଇ ଭାଲୁକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଛନ୍ତି। ବନାଞ୍ଚଳ ସଂଲଗ୍ନ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବାରମ୍ବାର ଗାଁ ମୁହାଁ ହେବା ଘଟଣା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି।କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ଗାଁରେ ଆଜି ସକାଳୁ ଏକ ଭାଲୁ ପଶିଆସିଥିଲା। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହୋଇଥିବା ଭାଲୁ କୁମୁଲି ଶିଶୁମନ୍ଦିର ପଛପଟ ରାସ୍ତାରେ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ଗ୍ରାମବାସୀ ଏକାଠି ହୋଇ ସତର୍କତାର ସହ ଭାଲୁକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଥିଲେ। ଏହି ଘଟଣାରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି।ବର୍ଷା ଋତୁରେ ଜଙ୍ଗଲରେ ଖାଦ୍ୟ ଅଭାବ କିମ୍ବା ବାସସ୍ଥାନରେ ବ୍ୟାଘାତ ଯୋଗୁଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବା ଘଟଣା ବଢ଼ୁଛି। ତେଣୁ ବନ ବିଭାଗ ଏପରି ଅଞ୍ଚଳରେ ନଜର ଦେବା ସହ ଲୋକଙ୍କୁ ସଚେତନତା କରିବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି