
ସମ୍ବଲପୁର,୦୧, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଂଚଳରେ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ ଲୁଟ୍ କରିବା ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ୧୬୪/୨୬ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ବିହାରର ସମସ୍ତିପୁର ଜିଲ୍ଲାର ବିକାଶ କୁମାର ରାୟଙ୍କ ଅଭିଯୋଗ ଆଧାରରେ ମାମଲା ଏହି ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଜୁଲାଇ ୩୧ ତାରିଖ ରାତି ପ୍ରାୟ ୧୧ଟା ବେଳେ କୁଚିଣ୍ଡା ଏନଏସିର ଗଣେଶପଡ଼ାରୁ ଫେରୁଥିବା ସମୟରେ ୩ରୁ ୪ ଜଣ ଦୁର୍ବୃତ ଛୁରୀ ଦେଖାଇ ତାଙ୍କୁ ମାଡ଼ ମାରି ମୋବାଇଲ ଫୋନ୍ ଏବଂ ୪୦ ହଜାର ଟଙ୍କା ଲୁଟି ନେଇଥିଲେ। ତଦନ୍ତ ସମୟରେ ବିଶ୍ୱସ୍ତ ସୂଚନା ଆଧାରରେ ନର୍ସରିପଡ଼ାର ଉମାକାନ୍ତ ବାରଭାୟା (୩୮) ଓ ହରିଶଙ୍କର ବେହେରା (୨୮)ଙ୍କୁ ଗିରଫ କରି ପୋଲିସ ଶନିବାର କୋର୍ଟ ଚାଲାଣ କରିଛି। ସେମାନଙ୍କର ଅନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତି ନେଇ ପୁଲିସ ଯାଂଚ ଜାରି ରଖିଛି। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ହୋଣ୍ଡା ଡିଓ ସ୍କୁଟର, ଗୋଟିଏ ଷ୍ଟିଲ୍ ଛୁରୀ, ଗୋଟିଏ ଓପୋ ରେନୋ-୧୫ସି ମୋବାଇଲ ଫୋନ୍ ଏବଂ ୧୫,୬୦୦ ଟଙ୍କା ନଗଦ ଜବତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ