ଜିଲ୍ଲାରେ ପରିବହନ ସମସ୍ୟାର ସମାଧାନ ପାଇଁ ସମନ୍ଵୟ ବୈଠକ
Coordination meeting for transportation
ଜିଲ୍ଲାରେ ପରିବହନ ସମସ୍ୟାର ସମାଧାନ ପାଇଁ ସମନ୍ଵୟ ବୈଠକ


ଝାରସୁଗୁଡ଼ା, ୧ ଅଗଷ୍ଟ (ହି.ସ.)- ଜିଲ୍ଲାରେ କୋଇଲା, କଞ୍ଚାମାଲ ଏବଂ ପ୍ରସ୍ତୁତ ସାମଗ୍ରୀ ପରିବହନ କ୍ଷେତ୍ରରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଡି.ଏମ୍.ଏଫ୍. ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଶିଳ୍ପାନୁଷ୍ଠାନ, ପରିବହନ ସଂସ୍ଥା ଏବଂ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ପରିବହନ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବ୍ୟାପକ ଆଲୋଚନା କରାଯାଇଛି। ବୈଠକରେ ବିଶେଷ କରି କୋଇଲା ପରିବହନ ସମ୍ବନ୍ଧୀୟ ଆପତ୍ତି ଓ ଅଭିଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଏମ୍ ସି ଏଲ ଅଧିକାରୀ , କୋଇଲା ବ୍ୟବହାର କରୁଥିବା ଶିଳ୍ପାନୁଷ୍ଠାନ ସଂସ୍ଥା ଯଥା ଜିନ୍ଦଲ ପାୱାର ଲିମିଟେଡ୍, ଜେ ଏସ ଡବ୍ଲୁ ଏନର୍ଜି (ଉତ୍କଳ) ଲିମିଟେଡ୍, ବେଦାନ୍ତ ଏବଂ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପାନୁଷ୍ଠାନ ନିଜ ନିଜର କୋଇଲା ପରିବହନ ଜନିତ ସମସ୍ୟା ଓ କ୍ଷତି ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବାବଦରେ ଏମ୍ ସି ଏଲ ଅଧିକାରୀ ନିଜ ମତାମତ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏଥିସହ ଦୀର୍ଘ ଏକ ମାସ ଧରି ଟ୍ରକ୍ ଗୁଡିକର ଚଳାଚଳର ସଠିକ୍ ତଥ୍ୟ ଏବଂ କ୍ଷେତ୍ର ସ୍ତରରେ ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲାପାଳ, ଉପ-ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତାକାଲି ଉପ - ଜିଲ୍ଲାପାଳ, ଏମ୍ ସି ଏଲ ଅଧିକାରୀ, ମା' ସମଲେଇ ଟ୍ରକ୍ ମାଲିକ ସଂଘର ସଭାପତିଙ୍କ ସହ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଯାଞ୍ଚ କରିବେ।

ଶିଳ୍ପାନୁଷ୍ଠାନଗୁଡ଼ିକ ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ ବ୍ୟାପକ ଆର୍ଥିକ କ୍ଷତି ସହୁଥିବା ବ୍ୟକ୍ତ କରିବାରୁ, ଜିଲ୍ଲାପାଳ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ପରିବହନ କାର୍ଯ୍ୟରେ କୌଣସି ବେଆଇନ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ ବ୍ଯତୀତ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘର ନିର୍ବାଚନ ଓ ସଭ୍ୟପଦ ସମ୍ପର୍କିତ ବିବାଦୀୟ ପ୍ରସଙ୍ଗ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ସମନ୍ୱୟ ବୈଠକରେ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲଲିତ ସୋରେଙ୍ଗ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର, ସାଧାରଣ ଓ ବିବିଧ ବିଭାଗର ଉପ-ଜିଲ୍ଲାପାଳ ବିଜୟ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏସ.ଡି.ପି.ଓ., ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ପରିବହନ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଜେନେରାଲ ମ୍ୟାନେଜର, ବେଦାନ୍ତର ଅଫିସର ଜେ ଏସ ଡବ୍ଲୁ- ବି ପି ଏସ ଏଲ ର ଜେନେରାଲ ମ୍ୟାନେଜର, ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି, ବନ୍ଧବାହାଲସ୍ଥିତ ମା' ସମଲେଇ ଟ୍ରକ୍ ମାଲିକ ସଂଘର ସଭାପତି, ଝାରସୁଗୁଡ଼ା ଟ୍ରକ୍ ମାଲିକ ସଂଘର ସଭାପତି ଏବଂ ଝାରସୁଗୁଡ଼ାର ସମସ୍ତ ପରିବହନକାରୀ ପ୍ରତିନିଧିବୃନ୍ଦ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande