
ଝାରସୁଗୁଡ଼ା, ୧ ଅଗଷ୍ଟ (ହି.ସ.)- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 'ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ କମିଟି ବୈଠକ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୀପ୍ତିପ୍ରଭା ଭିତ୍ରିଆ ଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ବିଶେଷ କରି ଉଦ୍ୟାନ କୃଷି କ୍ଷେତ୍ରର ସମନ୍ୱିତ ବିକାଶ, ଚାଷୀମାନଙ୍କର ଆୟ ବୃଦ୍ଧି ଏବଂ ସ୍ଥାନୀୟ ସ୍ତରରେ ବ୍ୟାପକ ସ୍ବରୋଜଗାର ସୃଷ୍ଟି କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବୈଠକରେ ଜିଲ୍ଲା ପାଇଁ ବାର୍ଷିକ କାର୍ଯ୍ୟଖସଡ଼ା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯିବା ସହ ଉଦ୍ୟାନ କୃଷିର ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା କରାଯାଇଥିଲା।.ଉଦ୍ୟାନ କୃଷି କ୍ଷେତ୍ରରେ କୃଷକଙ୍କ ଆୟ ବୃଦ୍ଧି ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ କାଜୁ ବଗିଚା ସୃଷ୍ଟି, ମଲ୍ଲୀ ଓ ରଜନୀଗନ୍ଧା ଫୁଲ ଚାଷ, ମହୁ ଚାଷ ଏବଂ ଏହାର ମୂଲ୍ୟ ସଂଯୋଜନ ଉପରେ ବିଶେଷ କରାଯାଇଥିଲା। ଏଥିସହିତ ଫୁଲ ଚାଷ ସହିତ ମହୁମାଛି ପାଳନ କରାଗଲେ ପରାଗସଂଯୋଗ ବୃଦ୍ଧି ପାଇବା ସହ ଫସଲ ଉତ୍ପାଦନ ବଢ଼ିବ ଏବଂ କୃଷକମାନେ ଅତିରିକ୍ତ ଆୟ ପାଇପାରିବେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲାର ଜଣେ ସଫଳ କୃଷକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ତାଙ୍କର ସଫଳତାକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଅନ୍ୟ ଚାଷୀମାନଙ୍କ ପାଇଁ ପ୍ରେରଣାଦାୟୀ ହେବାକୁ ଉତ୍ସାହିତ କରିଥିଲେ। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟାନ କୃଷି, ଫୁଲ ଚାଷ ଓ ମୂଲ୍ୟ ସଂଯୋଜିତ କାର୍ଯ୍ୟକ୍ରମରେ ଅଧିକ ସାମିଲ କରିବା ଏବଂ ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଜୀବିକା ମିଶନ ର ଡିପିଏମ୍ ଡ. ପୁଷ୍ପଶ୍ରୀ ନାୟକଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ବୈଠକରେ ବାର୍ଷିକ କାର୍ଯ୍ୟଯୋଜନା ଅଧୀନରେ ଜିଲ୍ଲାରେ ଟିସୁ କଲଚର୍ କଦଳୀ, ଆମ୍ବ, ସଙ୍କର ଜାତୀୟ ପରିବା, କାଜୁ, ଫୁଲ ଚାଷ ଏବଂ ଛତୁ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ନେଇ ସମୀକ୍ଷା କରାଯାଇଥିଲା। ବିଶେଷ କରି ଜଙ୍ଗଲ ଅଧିକାର ଆଇନ ଅଧୀନରେ ଜମି ପାଇଥିବା ହିତାଧିକାରୀଙ୍କୁ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ସହ ଯୋଡ଼ି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ଓରମାସ ର ଡେପୁଟି ସିଇଓ ଯୁବରାଜ ସାହୁ, ଏସଡିଆଇପିଆରଓ କୃଷ୍ଣକେଶୀ ବଳିଆରସିଂହ, ଓଏଲଏମ ଡିପିଏମ୍ ଡ. ପୁଷ୍ପଶ୍ରୀ ନାୟକ, ସମସ୍ତ ବ୍ଲକର ସହକାରୀ ଉଦ୍ୟାନ ଅଧିକାରୀଙ୍କ ସହିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସମୀର ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ବୈଠକରେ ଓଡ଼ିଶା ଉଠା ଜଳସେଚନ ନିଗମର ଯନ୍ତ୍ରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପଶୁସମ୍ପଦ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଏବଂ ୱାଟରସେଡ୍ ର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ କୃଷି ଓ ଉଦ୍ୟାନ କୃଷି ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ