ଶୁଲଦିଆ ପଡ଼ାରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ
Eviction from suldia pada
Eviction


ଝାରସୁଗୁଡ଼ା, ୧ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ପଞ୍ଚପଡ଼ା ରାଜସ୍ୱ ଗ୍ରାମର ଶୁଲଦିଆ ପଡ଼ାରେ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟଙ୍କ ପାଇଁ ପୂର୍ବରୁ ପ୍ରାୟ ୫୦ ଡିସିମିଲ ସରକାରୀ ଜମି ଚିହ୍ନଟ କରାଯାଇଥିଲା। ଏହାର ପାର୍ଶ୍ୱବର୍ତ୍ତୀ ଖାଲି ସରକାରୀ ଜମିକୁ କିଛି ବାହାର ଅଞ୍ଚଳର ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରୁଥିବା ନେଇ ଗତ ୨୭.୦୭.୨୦୨୪ରେ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିଲା।

ଉକ୍ତ ସମ୍ବାଦକୁ ଗୁରୁତ୍ୱର ସହ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ କୁଣlଲ ମୋତିରାମ ଚହ୍ୱାଣ ସମ୍ପୃକ୍ତ ତହସିଲଦାର ସଦାକର କୁମ୍ଭାରଙ୍କୁ ଘଟଣାର ତୁରନ୍ତ ଯାଞ୍ଚ କରି ଜବରଦଖଲ ଉଚ୍ଛେଦ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଶ୍ରୀ କୁମ୍ଭାରଙ୍କ ନେତୃତ୍ୱରେ ଆର୍.ଆଇ. ଏକତାଲି ଫାଲଗୁନୀ ନାମଦେବ, ରେଭେନ୍ୟୁ ସୁପରଭାଇଜର ରୀତାରାଣୀ ନାୟକ, ରାଜସ୍ୱ ବିଭାଗ ଏବଂ ପୋଲିସ ପ୍ରଶାସନର ମିଳିତ ଟିମ୍ ପଞ୍ଚପଡ଼ା ରାଜସ୍ୱ ଗ୍ରାମର ଶୁଲଦିଆ ପଡ଼ାରେ ଅତର୍କିତ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ଜଣାପଡ଼ିଥିଲା ଯେ ବାହାର ଅଞ୍ଚଳରୁ ଆସିଥିବା ଅନେକ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରିଛନ୍ତି। କେତେକ ବ୍ୟକ୍ତି ସେଠାରେ ବସବାସ କରୁଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଘର ନିର୍ମାଣ ଆରମ୍ଭ କରିଥିଲେ, କିନ୍ତୁ ସେଠାରେ ରହୁନାହାନ୍ତି। ଅଭିଯାନ ସମୟରେ ନିର୍ମାଣାଧୀନ ଘରଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରାଯାଇଥିଲା।

ସେହିପରି, ସରକାରୀ ଜମିରେ ବସବାସ କରୁଥିବା ଜବରଦଖଲକାରୀଙ୍କ ବିରୋଧରେ ଏନକ୍ରୋଚମେଣ୍ଟ ମାମଲା ରୁଜୁ କରାଯାଇଛି। ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ସେମାନଙ୍କୁ ମଧ୍ୟ ଉଚ୍ଛେଦ କରାଯିବ। ଏଥିସହ ସରକାରୀ ଜମିର ଚିହ୍ନଟ, ସୀମା ନିର୍ଦ୍ଧାରଣ, ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ରାଜସ୍ୱ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।

ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ଜମି ଉପରେ କୌଣସି ପ୍ରକାରର ବେଆଇନ ଜବରଦଖଲକୁ ବରଦାସ୍ତ କରାଯିବ ନାହିଁ। ଏଭଳି ଅଭିଯୋଗ ମିଳିଲେ ତୁରନ୍ତ ଯାଞ୍ଚ କରାଯାଇ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ ଜମିକୁ ଜବରଦଖଲମୁକ୍ତ ରଖିବା ଏବଂ ଏହାର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ନିୟମିତ ତଦାରଖ ଓ କଡ଼ା ପଦକ୍ଷେପ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande