ଗୋହିରାଟିକିରି ପୀଠ ବିକାଶ କାର୍ଯ୍ୟକୁ ବନ୍ୟାର ଝଟକା, ଭାସିଗଲା ୩ ଶହରୁ ଅଧିକ ଟ୍ରିପ୍ ବାଲି, ପାଣିରେ ବୁଡ଼ି ନଷ୍ଟ ହେଲା ୫୩୦ ବ୍ୟାଗ ସିମେଂଟ
ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଐତିହାସିକ ଗୋହିରାଟିକିରି ପୀଠରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକୁ ଚଳିତ ବନ୍ୟା ବଡ଼ ଝଟକା ଦେଇଛି। ବନ୍ୟା ପାଣିରେ ନିର୍ମାଣ ସ୍ଥଳରେ ଗଚ୍ଛିତ ଥିବା ୩୦୦ରୁ ଅଧିକ ଟ୍ରିପ୍ ବାଲି ଭାସିଯାଇଥିବା ବେଳେ ୫୩୦ ବ୍ୟାଗ ସିମେଂଟ ପାଣିରେ ବୁଡ଼ି
GOHIRATIKIRI PITHA BIKASH KARYA


ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଐତିହାସିକ ଗୋହିରାଟିକିରି ପୀଠରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକୁ ଚଳିତ ବନ୍ୟା ବଡ଼ ଝଟକା ଦେଇଛି। ବନ୍ୟା ପାଣିରେ ନିର୍ମାଣ ସ୍ଥଳରେ ଗଚ୍ଛିତ ଥିବା ୩୦୦ରୁ ଅଧିକ ଟ୍ରିପ୍ ବାଲି ଭାସିଯାଇଥିବା ବେଳେ ୫୩୦ ବ୍ୟାଗ ସିମେଂଟ ପାଣିରେ ବୁଡ଼ି ମୁଣ୍ଡା ହୋଇଯାଇଛି। ସେହିପରି ୮ ଟ୍ରିପ୍ ଚିପ୍ସ ମଧ୍ୟ ନଷ୍ଟ ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି। ଗୋହିରାଟିକିରି ପୀଠର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବା ବେଳେ ଏହାର କାର୍ଯ୍ୟନିର୍ବାହ ଦାୟିତ୍ୱ ପୋଲିସ ହାଉସିଂ ବୋର୍ଡ ଅଧୀନରେ ରହିଛି। ସାଇ ସ୍ମୃତି କଷ୍ଟ୍ରକ୍ସନ୍ ସଂସ୍ଥା ଏହି କାର୍ଯ୍ୟ ସମ୍ପାଦନ କରୁଛି। ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ଚାଲିଥିବାବେଳେ ସମ୍ପ୍ରତି ବନ୍ୟାରେ ନିର୍ମାଣ ସାମଗ୍ରୀ ଜଳମଗ୍ନ ହୋଇ ଭାସିଯିବା ଓ ନଷ୍ଟ ହେବାରୁ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସୂଚନା ଅନୁଯାୟୀ, ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଗଜପତି ମୁକୁନ୍ଦଦେବଙ୍କ ବୀରତ୍ୱ ଓ ଆତ୍ମବଳିଦାନର ମୂକସାକ୍ଷୀ ହେଉଛି ଐତିହାସିକ ଗୋହିରାଟିକିରି ପୀଠ। ୨୦୧୬ ମସିହା ନଭେମ୍ବରରେ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବା ପରେ ଏହାର ସାମଗ୍ରିକ ବିକାଶ ପାଇଁ ଅଂଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଗତବର୍ଷ ଜୁନ୍ ୨ ତାରିଖରେ ଭଦ୍ରକ ସହର ଉପକଣ୍ଠ ରାହାଞ୍ଜ ନିକଟ ରମ୍ଭିଳାଠାରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ମୁକୁନ୍ଦଦେବ ସ୍ମାରକୀ ପାର୍କ ଓ ସୁବିଧା କେନ୍ଦ୍ରର ଶିଳାନ୍ୟାସ କରିଥିଲେ। ବର୍ତମାନ ପ୍ରଥମ ପର୍ଯ୍ୟାୟରେ ୫ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଚାଲିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବନ୍ୟା ପରେ ନିର୍ମାଣ ସ୍ଥଳରେ ବହୁ ପରିମାଣର ସାମଗ୍ରୀ ନଷ୍ଟ ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ପୁଣି ସ୍ୱାଭାବିକ ଗତିକୁ ଫେରିବା ପାଇଁ ସମୟ ଲାଗିପାରେ। ତେଣୁ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର କାର୍ଯ୍ୟ ପୁନରାରମ୍ଭ ସହ ଆବଶ୍ୟକ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande