
ଜଳବନ୍ଦୀ ଘେରରେ ଥୀବା ପରିବାରକୁ ଭେଟି ଯୋଗାଇଦେଲେ ଶୁଖିଲା ଖାଦ୍ୟ
କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – ଚଳିତ ବର୍ଷର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପାଟକୁରା ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସିଧାସଳଖ ପହଂଚି ଲୋକଙ୍କ ଭଲମନ୍ଦ ବୁଝିଛନ୍ତି। ନଦୀକୂଳିଆ ଗ୍ରାମଗୁଡ଼ିକ ଜଳମଗ୍ନ ହୋଇରହିଥିବା ବେଳେ କୌଣସି ପ୍ରଭାବିତ ପରିବାର ଯେପରି ଖାଦ୍ୟ, ପାନୀୟ ଜଳ କିମ୍ବା ଗୋଖାଦ୍ୟର ଅଭାବ ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ବିଧାୟକ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନଦୀବନ୍ଧ ଓ ଜଳବନ୍ଦୀ ଗାଁ ବୁଲୁଛନ୍ତି ସଭିଙ୍କ ଖବର ବୁଝିବାରେ ହେଳା କରୁନାହାନ୍ତି ବିଧାୟକ ଅରବିନ୍ଦ। ବିଧାୟକ ଶ୍ରୀ ମହାପାତ୍ର ବାଙ୍ଗାଳପୁର ପଂଚାୟତର ଶିଶୁଆ, ସଲାର, ହୁରାସାହି, ଜଳପୋକ ପଂଚାୟତର ପଖଟ, କଣିବାଙ୍କ, କଲପାଟଣା, ତଳଗାଁ, ଜମପଡ଼ା, ଗୌଡ଼ଗାଁ, ମେହେନ୍ଦିନଗର, କରଣ୍ଡିଆ ଘେରି, ବଛରାଇ, ଗୋଧନ, ମୂଷାଡ଼ିଆ ଏବଂ ପାଟକୁରା ପଂଚାୟତର ଜଗଦଳପୁର, ସମସରା, ନଇନ୍ଦପୁର, ବେଡ଼ାରୀ ଓ ନୂଆପଡ଼ା ଆଦି ଗ୍ରାମର ନଦୀବନ୍ଧ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ସହାୟତା ପାଇଁ ସରକାର,ଜିଲ୍ଲାପାଳ ଓ ପ୍ରଶାସନ ସହ ଯୋଗାଯୋରେ ରହିଛନ୍ତି ବିଧାୟକ। ବିଶେଷକରି ଆଇତପୁର ଓ ଢ଼ିଅ ବଳରାମପୁର ଗ୍ରାମର ଜନବସତି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବାରୁ, ସେଠାରେ ରହୁଥିବା ଜଳବନ୍ଦୀ ଲୋକଙ୍କ ପାଖରେ ଅତି ଶୀଘ୍ର ବିଶୁଦ୍ଧ ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ପହଂଚାଇବା ପାଇଁ ବିଧାୟକ ତୁରନ୍ତ ଜିଲ୍ଲାପାଳ, ପିଡ଼ି ଏବଂ ଜଡଝଝ ଅଧିକାରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଛନ୍ତି।ବନ୍ୟା ବିପନ୍ନଙ୍କ ସେବା ଆମର ପ୍ରଥମ କର୍ତବ୍ୟ। ପାଟକୁରାର କୌଣସି ବି ଗ୍ରାମବାସୀ ଯେପରି ନିଜକୁ ଅସହାୟ ବୋଲି ନଭାବନ୍ତି, ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।ଅରବିନ୍ଦ ମହାପାତ୍ର, ବିଧାୟକ, ପାଟକୁରା କହିଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ଜଳମଗ୍ନ ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍ ସାମଗ୍ରୀ ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବିଧାୟକଙ୍କ ଏହି ତତ୍କାଳ ପଦକ୍ଷେପ ଓ ବନ୍ୟାଂଚଳ ପରିଦର୍ଶନକୁ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି