
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଗତ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜଟଣୀସ୍ଥିତ କୌଶଳ ବିକାଶ ଅନୁଷ୍ଠାନ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଓ ପ୍ରଧାନଶିକ୍ଷକ ସମ୍ମିଳନୀ ଆୟୋଜନ ଅବସରରେ ଏହି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ପୂର୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ପାଠପଢ଼ା ସହ ପରିବେଶ ଓ ନିଜ ଅଂଚଳର ବିକାଶ ଦିଗରେ ସର୍ବଦା ଚେଷ୍ଟିତ ହେବା ସହ ପାରିପାର୍ଶ୍ୱିକ ଅବସ୍ଥା ସହ ଭଲ ଭାବେ ପରିଚିତ ହେବାକୁ ସେ ଛାତ୍ରମାନଙ୍କୁ କହିଥିଲେ । କୌଣସି ପ୍ରକାର ମାନସିକ ଚିନ୍ତାରେ ନରହି ବରଂ ପରିସ୍ଥିତିକୁ ସମ୍ନା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସେହିଭଳି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ୍ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶୈକ୍ଷିକ ବାତାବରଣ ଓ ପିଲାମାନଙ୍କ ସୃଜନଶୀଳତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନେ ସେମାନଙ୍କ ରୁଚି ଅନୁଯାୟୀ ବିିଭିନ୍ନ ପାଠ୍ୟକ୍ରମ ଚୟନ କରିବା ପାଇଁ କହିଥିଲେ । ଏହା ଦ୍ୱାରା ନିଜର ଅନ୍ତର୍ନିହିତ ପ୍ରତିଭାର ପୂର୍ଣ୍ଣ ବିକାଶ ହେବା ସହ ଲକ୍ଷ୍ୟସ୍ଥଳରେ ପହଂଚିବା ସୁଗମ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ନିଜ ଅଭିଜ୍ଞତା ଉଲ୍ଲେଖ କରିବା ସହ ବିଭିନ୍ନ ପରିସ୍ଥିତି ଓ ପରିବେଶକୁ ଧୈର୍ଯ୍ୟର ସହ ସମ୍ମୁଖୀନ ହୋଇ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ସୂର୍ଯ୍ୟପ୍ରଭା ଫାଉଣ୍ଡେସନ୍ ର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞାପାରମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା