ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିରେ କଲେଇ ଗ୍ରାମପଂଚାୟତରେ ଶୁଖିଲା ଖାଦ୍ୟ ବଂଟନ, ସ୍ୱର୍ଗତ ନିରଞ୍ଜନ ମଲ୍ଲିକ ସ୍ମୃତି କମିଟିର ମାନବିକ ପଦକ୍ଷେପ
ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଲଗାଣ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ କଲେଇ ଗ୍ରାମପଂଚାୟତର ଅନେକ ଗ୍ରାମ ଏବେ ବନ୍ୟା ପାଣିରେ ଘେରାଉ ହୋଇ ରହିଛି। ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଅନେକ ପରିବାର ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବରେ ବିଭିନ୍ନ ସମସ୍ୟାର ସମ୍ମୁଖୀ
NIRANJAN MALLICK SMRUTI COMMITTEE KHADYA BANTAN


ଭଦ୍ରକ, ୧ ଅଗଷ୍ଟ (ହି.ସ.) - ଲଗାଣ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ କଲେଇ ଗ୍ରାମପଂଚାୟତର ଅନେକ ଗ୍ରାମ ଏବେ ବନ୍ୟା ପାଣିରେ ଘେରାଉ ହୋଇ ରହିଛି। ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଅନେକ ପରିବାର ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୁର୍ଦ୍ଦିନରେ ସମାଜସେବାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି ସ୍ୱର୍ଗତ ନିରଞ୍ଜନ ମଲ୍ଲିକ ସ୍ମୃତି କମିଟି। କମିଟି ପକ୍ଷରୁ ବନ୍ୟା ପ୍ରଭାବିତ ଓ ଅସହାୟ ପରିବାରମାନଙ୍କ ନିକଟରେ ପହଂଚି ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି। ବିପଦ ସମୟରେ ଲୋକଙ୍କ ପାଖରେ ଛିଡ଼ା ହୋଇ ରହିବା ଏବଂ ସେମାନଙ୍କ ଦୁଃଖ ଲାଘବ କରିବା ପାଇଁ କମିଟିର ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି। ଏହି ସେବା କାର୍ଯ୍ୟକ୍ରମରେ ସମାଜସେବୀ ମହେନ୍ଦ୍ର ମଲ୍ଲିକ (ମୁନା ଭାଇ), ସୁନୀଲ କୁମାର ଲେଙ୍କା (ବାଟୁ), ପ୍ରବୀଣ କୁମାର ମହାରଣା, ଶକ୍ତି ଜେନା ଓ ଭାସ୍କର ସାହୁ (କାଠିଆ) ସକ୍ରିୟ ଭାବେ ସାମିଲ ହୋଇ ପ୍ରଭାବିତ ପରିବାରମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଂଚାଇଥିଲେ। ସମାଜସେବୀମାନେ କହିଛନ୍ତି ଯେ, ଦୁଃସମୟରେ ମଣିଷ ପାଖରେ ମଣିଷ ଠିଆ ହେବା ହିଁ ପ୍ରକୃତ ସେବା। ବନ୍ୟା ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ ସହଯୋଗ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଶେଷରେ ସେମାନେ ସମସ୍ତଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ, ବିପଦ ସମୟରେ ପରସ୍ପରଙ୍କ ସହଯୋଗୀ ହୋଇ ମାନବିକତାର ପରିଚୟ ଦେବା ହିଁ ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ। ଏପରି ସେବାମୂଳକ ପଦକ୍ଷେପ ସମାଜରେ ଐକ୍ୟ, ସହଯୋଗ ଓ ମାନବିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande