ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଦାବି, ନଚେତ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚେତାବନୀ
ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନମ୍ବର–୪ ଅନ୍ତର୍ଗତ ଗୌଶାଳାପଡ଼ାର ବାସିନ୍ଦା ଇନ୍ଦ୍ରଜିତ ସିଂ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ସରକାରୀ ଜମିରେ ଏକ ଚାଳ ଘର ନିର୍ମାଣ କରି ବସବାସ କରୁଛନ୍ତି। ତାଙ୍କର ନିଜସ୍ୱ ଜମି ନଥିବାରୁ ସେ ସେଠାରେ ରହି ଆସୁଛନ
Pradhan mantri abas


ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନମ୍ବର–୪ ଅନ୍ତର୍ଗତ ଗୌଶାଳାପଡ଼ାର ବାସିନ୍ଦା ଇନ୍ଦ୍ରଜିତ ସିଂ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ସରକାରୀ ଜମିରେ ଏକ ଚାଳ ଘର ନିର୍ମାଣ କରି ବସବାସ କରୁଛନ୍ତି। ତାଙ୍କର ନିଜସ୍ୱ ଜମି ନଥିବାରୁ ସେ ସେଠାରେ ରହି ଆସୁଛନ୍ତି। ବର୍ତମାନ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ସେ ଏକାକୀ ଭଙ୍ଗା ଦଦରା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅସୁସ୍ଥତା କାରଣରୁ ସେ କୌଣସି କାମ କରିପାରୁ ନାହାନ୍ତି। ତାଙ୍କ ଓଜନ ମାତ୍ର ୩୫ କିଲୋଗ୍ରାମ ଥିବାରୁ ସେ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛନ୍ତି। ଗତ ୫ ବର୍ଷ ଧରି ସେ ଜିଲା ପ୍ରଶାସନ, ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ, ତହସିଲଦାର ଓ ଆର୍ଆଇଙ୍କ ନିକଟରେ ବାରମ୍ବାର ଆବେଦନ କରି ଭୂମିହୀନ ଯୋଜନାରେ ୪ ଡିସମିଲ ଜମି ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଆସୁଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇନଥିବା ସେ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି ହେଉଛି, ବର୍ତମାନ ବର୍ଷା ଋତୁକୁ ଦୃଷ୍ଟିରେ ରଖି ତାଙ୍କ ଚାଳ ଘରକୁ ତୁରନ୍ତ ଜରି(ପଲିଥିନ) ଯୋଗାଇ ଦିଆଯାଉ। ସେହିପରି ଭୂମିହୀନ ଯୋଜନାରେ ୪ ଡିସମିଲ ଜମି ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ସାମିଲ କରାଯାଉ। ଦାବି ପୂରଣ ନହେଲେ ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି। ଏନେଇ ଏନଏସି ଇଓ ସ୍ୱାଧୀନ କେତନ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ଏଏଚ୍ପି ଯୋଜନାରେ ସାମିଲ କରି ଆବାସ ଘର ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande