

କନ୍ଧମାଳ, ୦୧ ଅଗଷ୍ଟ(ହି.ସ.) – ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନାମରେ ନାମିତ କରିବା ରାଜ୍ୟ ସରକାରଙ୍କ ଘୋଷଣା ପରେ, କନ୍ଧମାଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କନ୍ଧମାଳ ମିଳିତ ମଂଚ ପକ୍ଷରୁ ଏହି ନାମକରଣକୁ ନାପସନ୍ଦ କରି ଆଜି କୁଇ ନେତା ଲମ୍ବୋଦର କହଁର ଓ ଅନ୍ୟ କେତେକ ସଂଗଠନର ମୁଖିଆଙ୍କ ସହ କନ୍ଧମାଳର ସମସ୍ତ ବର୍ଗର ଲୋକେ ସାମିଲ ହୋଇ ଆଜି ଏକ ବିରାଟ ଶୋଭାଯାତ୍ରାରେ କଲେଜ ଛକରୁ ବାହାରି ମୁଖ୍ୟ ରାସ୍ତାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ହୋଇଥିବା ମେଡିକାଲ କଲେଜର ନାମ ପରିବର୍ତନ କରି ଆଦିବାସୀ ମେଡିକାଲ କଲେଜ କନ୍ଧମାଳ ଫୁଲବାଣୀ ନାମରେ ନାମିତ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ୧୫ ଦିନର ସମୟ ସୀମା ଧାର୍ଯ୍ୟ କରି, ସମୟ ସୀମା ମଧ୍ୟରେ ମେଡିକାଲ କଲେଜର ନାମ ପରିବର୍ତନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେବୋଲି ଚେତାବନୀ ଦେଇଛନ୍ତି। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଆଦିବାସୀଙ୍କ ଦାବିକୁ ସମ୍ମାନ ଦେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରିଛନ୍ତି ଯାହାକି ମୁଖ୍ୟମନ୍ତ୍ରୀ ଗତ ୦୭.୦୬.୨୦୨୫ ରିଖରେ ଆମ ଆଦିବାସୀଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପରିବର୍ଭେ ଏହି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ “ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କନ୍ଧମାଳ” ଭାବେ ନାମକରଣ କରି ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ। ଆମ ପ୍ରସ୍ତାବର ସାମାନ୍ୟ ପରିବର୍ତନ ହୋଇଥିଲେ ମଧ୍ୟ ଆମେ ଏହି ନାମକରଣକୁ ଗ୍ରହଣ କରି ନେଇଥିଲୁ। ହେଲେ ଗତ ୨୭.୦୭.୨୦୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କନ୍ଧମାଳବାସୀଙ୍କୁ ବ୍ୟଥିତ କରିଛି। କେଉଁ ଖଳନାୟକଙ୍କ ଚାପରେ ପଡ଼ି ମୁଖ୍ୟମନ୍ତ୍ରୀ କନ୍ଧମାଳବାସୀଙ୍କ ଆସ୍ଥା ଓ ବିଶ୍ୱାସକୁ ଅଣଦେଖା କରି କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତନ କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲ ନାମରେ ନାମିତ କରିବା ଥିବା ଘୋଷଣା କଲେ ତାହା ଆମ୍ଭମାନଙ୍କୁ ବହୁତ ଆଘାତ ଦେଇଛି। କାରଣ ସ୍ୱାମୀଜୀଙ୍କ ହତ୍ୟା ପରେ କନ୍ଧମାଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିବା ମିଳିତ ମଂଚ ପକ୍ଷରୁ କୁହାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ