
କେନ୍ଦୁଝର, 01 ଅଗଷ୍ଟ (ହି.ସ.)
କେନ୍ଦୁଝରରେ ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଆଡିଶନାଲ ଡିଷ୍ଟ୍ରିକ୍ଟ ଜଜ୍-କମ୍-ସ୍ପେଶାଲ ଜଜ୍ (ପୋସ୍କୋ) ମୋନାଲିଶା ମହାନ୍ତି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଓକିଲଙ୍କ ସୂଚନା ଅନୁଯାୟୀ, ୨୦୨୫ ଅଗଷ୍ଟ ମାସରେ ହରିଚନ୍ଦନପୁର ଅଞ୍ଚଳରେ କୋଚିଂ ସେଣ୍ଟର ଚଳାଉଥିବା ଗୌତମ ମହାନ୍ତ ନିଜ କୋଚିଂରେ ପଢ଼ୁଥିବା ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ଗାଁରେ ବୈଠକ ବସିଥିଲା । ସେଠାରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିବାବେଳେ ସେ ତାଙ୍କ ଦୋଷ ସ୍ୱୀକାର କରିଥିବା ଅଭିଯୋଗ ରହିଛି । ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ହରିଚନ୍ଦନପୁର ଥାନାରେ ଲିଖିତ ଏତଲା ଦାଖଲ କରାଯାଇଥିଲା ।
ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାର ବିଚାର ସମୟରେ ୧୫ ଜଣ ସାକ୍ଷୀଙ୍କ ବୟାନ ଓ ଉପସ୍ଥାପିତ ପ୍ରମାଣକୁ ଭିତ୍ତି କରି ଆଜି ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଦାଲତ ଗୌତମ ମହାନ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟରେ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA