
କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ମୁନିସିପାଲିଟି ଅନ୍ତର୍ଗତ କାକଟ ମଙ୍ଗଳା କ୍ଲଷ୍ଟର୍ ଅଧିନ ହରିଜନ କଲୋନୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳାକାନ୍ତ ମହାପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସିଆର୍ସିସି ସଦାଶିବ ସାହୁ ସଭାପତିତ୍ୱ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକ୍ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ମୁଖ୍ୟ ଅତିଥି, ସହ ମଣ୍ଡଳ ଶିକ୍ଷାଧିକାରୀ ରଞ୍ଜନ କୁମାର ରାଉତରାୟ ଓ ବିଆର୍ସିସି ବଳଦେବ ପ୍ରସାଦ ଜେନା ମୁଖ୍ୟବକ୍ତା ଏବଂ ବିଜେପି ନେତା ମନିନ୍ଦ୍ର ରାଉତ, ବିଇଓ ଅଫିସର କମ୍ପ୍ୟୁଟର ପ୍ରୋଗାମର ପ୍ରମୋଦ କୁମାର ମଲ୍ଲ, ବିଦ୍ୟାଳୟର ସଭାପତି ସନ୍ଦିପ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେବାନିବୃତ ପ୍ରଧାନଶିକ୍ଷକ ଶ୍ରୀ ମହାପାତ୍ରଙ୍କ ଶିକ୍ଷକତା ଜୀବନ ଓ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟଦକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ। ସଭା ଆରମ୍ଭ ପୂର୍ବରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପ୍ରାରମ୍ଭରେ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ସହ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ଛାତ୍ରବତ୍ସଳତା, କର୍ତବ୍ୟନିଷ୍ଠା ଓ ସେବା ମନୋଭାବ ଉପରେ ବକ୍ତବ୍ୟ ରଖିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଶେଷରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ପ୍ରଧାନଶିକ୍ଷକ କମଳାକାନ୍ତ ମହାପାତ୍ରଙ୍କୁ ଉତରାୟ, ଅଙ୍ଗବସ୍ତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟାଙ୍କ ସମେତ ଅଭିଭାବକ ଓ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସହକାରୀ ଶିକ୍ଷକ ବସନ୍ତ କୁମାର ପଟ୍ଟନାୟକଙ୍କ ସମେତ ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ସ୍କୁଲର ପାଚିକା ଶୋଭାରାଣୀ ବେହେରା ଓ କାମିନୀ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସିଆର୍ସିସି ସଦାଶିବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସହକାରୀ ଶିକ୍ଷକ ବସନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି