



ସମ୍ବଲପୁର,୧ ଅଗଷ୍ଟ (ହି.ସ.)- ପଶ୍ଚିମାଂଚଳ ଏକତା ମଂଚ ଆରମ୍ଭ କରିଥିବା ସମ୍ବଲପୁରୀ ଦିନ୍ ଚଳିତ ବର୍ଷ ମହା ଆଡ଼ମ୍ବରରେ ଜେଲଛକ ନିକଟସ୍ଥ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଶୁଭାରମ୍ଭ ହୋଇଯାଇଛି। ସମ୍ବଲପୁରୀ ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ଜନ୍ମଦିନ ଉପଲକ୍ଷେ ଅଗଷ୍ଟ ଏକ ତାରିଖରେ ୧୪ ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଲନ ହୋଇଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସକାଳେ ଗୁରୂ ବହିଦାର ଙ୍କର ଡେରା ସ୍ଥିତ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ପଶ୍ଚିମାଂଚଳ ଏକତା ମଂଚ, ଭାରତୀ ସମାଜ ସମେତ ବହୁ ସାମାଜିକ ସଂଗଠନ ଏବଂ ବ୍ୟକ୍ତି ବିଶେଷ ମାନେ ଆସି ଗୁରୁ ସତ୍ୟନାରାୟଣ ବହିଦାର ଙ୍କର ମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ସମ୍ବଲପୁରୀ କବିତା ପାଠ ଆୟୋଜନ କରାଯାଇଥିଲା। ଭାଷା ସଂସ୍କୃତି ସଂଯୋଜକ ଡ଼ ସ୍ୱୟଂ ପ୍ରକାଶ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୫୮ ଜଣ କବି ସମ୍ବଲପୁରୀ କବିତା ପାଠ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ଦରପନ ମାସିକ ପତ୍ରିକା ର ସମ୍ବଲପୁରୀ ଦିନ ବିଶେଷାଙ୍କ ଅତିଥି ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୈଭାଗ୍ୟବନ୍ତ ମହାରଣା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ର ସଂଯୋଜକ ଡ଼ ପ୍ରମୋଦ ରଥ, ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ ସଂଚାଳନ ଥିଲେ। କବିତା ପାଠ କାର୍ଯ୍ୟକ୍ରମକୁ ପଙ୍କଜିନୀ ମେହେର, ସୁଷମା ପ୍ରଧାନ, ଲଲିତ ମୋହନ ବେବର୍ତା ସଂଯୋଜନା କରିଥିଲେ। ଏଥିରେ ସୁଦୁର କେନ୍ଦ୍ରାପଡ଼ା ରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ଆମନ୍ତ୍ରିତ କବି ମାନେ କବିତା ପାଠ କରିଥିଲେ। ଏହା ପରେ ସାଢେ ତିନିଟାରୁ ମଂଚପୂଜା ସହ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପଦ୍ମଶ୍ରୀ ଡଃ ଜିତେନ୍ଦ୍ର ହରିପାଲ ମାଁ ସମଲେଇ ଙ୍କ ଠାରେ ପୂଜାର୍ଚ୍ଚନା ପରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ର ବିଧିବଦ୍ଧ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ଦିନ ସଂଯୋଜକ ଡ଼ ପ୍ରମୋଦ ରଥ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଘୁଡକା ଭଟଲି ବରଗଡ, ଜନ ଲୋକ ନୃତ୍ୟ ଗ୍ରୁପ ବରଗଡ, ହୀରାଖଣ୍ଡ ସାଂସ୍କୃତିକ ଅନୁଷ୍ଠାନ, ଅତାବିରା, କିଆଫୁଲ ଅନୁଷ୍ଠାନ ସମ୍ବଲପୁର, ଭରନି କଳା ପରିଷଦ, ସମ୍ବଲପୁର, କଳା ଓ କଳାକାର, ସମ୍ବଲପୁର ପ୍ରମୁଖ ସମ୍ବଲପୁରୀ ଲୋକ ନାଚ ର ଦଶଟି ଶେଲୀର ସମ୍ବଲପୁରୀ ଲୋକ ନାଚ ପ୍ରଦର୍ଶନ କରିଥିଲେ। ସେହିପରି ଲୋକ ସଙ୍ଗୀତ ବିଭାଗରେ ମାନସ ଷଡ଼ଙ୍ଗୀ -ରାଧା ମାଇଗୋ, ନନି କେ ଠିକ ଚିନ୍ହିଛେ, ସୁଜିତ ରଣବିଡାଙ୍କ ମାଳି ଜଗେଇଥିଲା,ଈଶ୍ୱରୀ ବେହେରାଙ୍କ ମହୁଲ ଝାରେ, ଚାପ କରାଟି, ନଚନିଆ, ଡିଳେଶ୍ୱରୀ ସାହୁଙ୍କ ମତେ ସାଙ୍ଗ ଦିଅ ଗୋ ଦିଅର, ମିନାକ୍ଷୀ ରାଉତଙ୍କ ହଳଦୀ ଗିନା, ଚିନ୍ମୟୀ ସାହୁଙ୍କ ଯାଈଫୁଲ, ଶ୍ରଦ୍ଧା ମିଶ୍ରଙ୍କ ମଳି କେ ମୋର ଆନୁଅଛେ ଜର ଓ ଅଙ୍କିତ ଷଡ଼ଙ୍ଗୀ ଲହରମନି, କଂଶି ଜନହିଁ ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଗୁରୁ ପ୍ରମୋଦ କୁମାର ମିଶ୍ର କୋରଷ, ସ୍ୱର ଝଙ୍କାର ଅନୁଷ୍ଠାନ, ସମ୍ବଲପୁର ପରେ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଳାକାର ମାନେ ବହୁତ ଗୁଡିଏ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭବାନୀ କଳା ପରିଷଦ, ଢୋଲ ମୁହୁରୀ ପରିଷଦ, ଭରନି କଳା ପରିଷଦ, ଟିଟଳାଗଡ ଢ଼ାପ ନୃତ୍ୟ ପରିଷଦ, ପଂଚବାଦ୍ୟ ଇତ୍ୟାଦି ଅନୁଷ୍ଠାନ ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ରେ ପଶ୍ଚିମାଂଚଳ ଏକତା ମଂଚର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ। ଏହି ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର, ଏସପି ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ରହିଥିଲେ। ପଶ୍ଚିମାଂଚଳ ଏକତା ମଂଚ ସମ୍ବଲପୁରୀ ଦିନ୍ ଜରିଆରେ ସମ୍ବଲପୁରୀ କନା, ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ।
--------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ