
କନ୍ଧମାଳନୂଆପଡ଼ା,୧ ଅଗଷ୍ଟ (ହି.ସ.)- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡ଼ ବାରାବା ପଂଚାୟତର ପିର୍ତିଗୁଡା ପ୍ରାଥମିକ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କର ଜୁଲାଇ ୨୮ ତାରିଖ ଦିନ ମୃତ୍ୟୁ ଘଟିଥିଲା। ତେବେ ଛାତ୍ରୀଙ୍କ ମୃତ୍ୟୁ କେଉଁ କାରଣ ଯୋଗୁଁ ଘଟିଲା ଅସ୍ପଷ୍ଟ ରହିଥିବାବେଳେ ବିଦ୍ୟାଳୟକୁ ଭୟରେ ଛାତ୍ରଛାତ୍ରୀମାନେ ଯାଉନଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀ ଆସୁନଥିବା ଖବର ପାଇ ରାଇକିଆ ଏବିଇଓ ବିନ୍ଦୁ ନାୟକ ବିଦ୍ୟାଳୟକୁ ଯାଇ ପ୍ରାଥମିକ ତଦନ୍ତ କରିଥିବାବେଳେ ଛାତ୍ରୀ ଜଣକ ହଠାତ୍ ବିଦ୍ୟାଳୟ ରେ ଅସୁସ୍ଥ ହୋଇପଡ଼ିଥିଲେ। ପରବର୍ତୀ ସମୟରେ ତାଙ୍କୁ ଗଞ୍ଜାମ ଜିଲ୍ଳା ସୋରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ମୃତଦେହ ଆଣି ପରିବାର ଲୋକେ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ। ଏହା ପରଠାରୁ ଭୟରେ ଛାତ୍ରଛାତ୍ରୀ ଦୁଇ ଦିନ ଯାଇନଥିଲେ। ୩୧ ତାରିଖ ଦିନ ଏବିଇଓ ଗାଁକୁ ଯାଇ ଅଭିଭାବକ, ଛାତ୍ର ଛାତ୍ରୀ, ବିଦ୍ୟାଳୟ କମିଟି ସହିତ ଆଲୋଚନା କରି ବୁଝାଇବା ପରେ କିଛି ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଇଥିବା ଏବିଇଓ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ରାଇକିଆ ବିଇଓଙ୍କ କାର୍ଯ୍ୟାଳୟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବାବେଳେ ଥାନାରେ ମଧ୍ୟ କୌଣସି ପ୍ରକାର ଅଭିଯୋଗ ହୋଇନାହିଁ। ତେବେ ଏବିଇଓ, ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଡେଥ୍ ସାର୍ଟିଫିକେଟ ଦେଲେ, ପରିବାର ଲୋକଙ୍କୁ କ୍ଷତିପୂରଣ ମିଳିବା ଦିଗରେ ସହାୟତା କରି ପାରିବେ ବୋଲି କହିଥିଲେ। ହେଲେ ପରିବାର ଲୋକେ ତାହା ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ