
ନୂଆପଡ଼ା, ୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅଜିମ୍ ପ୍ରେମଜୀଙ୍କ ଆର୍ଥିକ ସହାୟତାରେ ଗ୍ରାମାଞ୍ଚଳ ପାଇଁ ଉପସମକାରୀ ସ୍ୱାସ୍ଥ୍ୟ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଖଡ଼ିଆଳ ବ୍ଲକର ୧୪ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୬୦ଟି ଗ୍ରାମର ଲୋକମାନେ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ସୁବିଧା ପାଇପାରିବେ। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏହି ଯୋଜନାର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡା. ଅଜିତ ସିଂ ଯୋଗଦେଇ କହିଥିଲେ ଯେ, ପ୍ରଥମ ଥର ପାଇଁ ଗ୍ରାମାଞ୍ଚଳର ଲୋକମାନେ ନିଜ ଗାଁରେ ଏଭଳି ସ୍ୱାସ୍ଥ୍ୟ ସେବାର ସୁବିଧା ପାଇବେ, ଯାହା ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ସ୍ୱତନ୍ତ୍ର ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ, ଏହି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳବାସୀଙ୍କ ଦ୍ୱାରମୁହଁରେ ସ୍ୱାସ୍ଥ୍ୟସେବା ପହଞ୍ଚିବ। ଏହା ଅଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ମିଶନ ନିର୍ଦ୍ଦେଶିକା ଡଃ. ନିବେଦିତା ପରିମାଣିକ, ଡଃ. ପୁଷ୍ପା ସିଂ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ସମସ୍ତେ ଏହି ପଦକ୍ଷେପକୁ ସ୍ୱାଗତ କରି ଏହା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ