
ନୂଆପଡ଼ା,୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲାରେ ନିକଟରେ ଘଟିଥିବା ବନ୍ୟା ପରିସ୍ଥିତି ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଲୋକପ୍ରତିନିଧି, ଜିଲ୍ଲା ପ୍ରଶାସନ ଏବଂ ଗ୍ରାମବାସୀଙ୍କ ମିଳିତ ଉପସ୍ଥିତିରେ ଖଡ଼ିଆଳ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମରେ ସରଜମିନ ତଦନ୍ତ କରାଯାଇଛି। ଏହି ପରିଦର୍ଶନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, କୃଷକ ଶକ୍ତି ସଙ୍ଗଠନର ଆବାହକ ସଞ୍ଜୟ ତିୱାରୀ, ଅକ୍ଷୟ ନନ୍ଦ ପ୍ରମୁଖ ଉପସ୍ଥିତ ରହି କ୍ଷୟକ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଥିଲେ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷର ଲଗାଣ ବର୍ଷା ଓ ବନ୍ୟାରେ ସୁନ୍ଦର ନଦୀର ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ସ୍ଥାନରେ ବ୍ରିଜ୍ ଓ ଏପ୍ରୋଚ୍ ରାସ୍ତା ଭାଙ୍ଗିଯାଇଥିବା ବେଳେ କଂକ୍ରିଟ୍ ସଡ଼କ ବନ୍ୟା ସ୍ରୋତରେ ଭାସିଯାଇଛି। ବହୁ ଚାଷଜମି ବାଲିଚରରେ ପରିଣତ ହୋଇଥିବାରୁ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ସେହି ଜମିରେ ଚାଷ କରିବା କଷ୍ଟକର ହେବ ବୋଲି ପରିଦର୍ଶନବେଳେ ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବାଲିଚର ହୋଇଥିବା ଚାଷଜମିର ପୁନରୁଦ୍ଧାର ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତି କମରେ ପାଂଚ ବର୍ଷ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଂଚଳର ବନ୍ୟା ସ୍ଥିତି ଏବଂ କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇବେ ବୋଲି ମଧ୍ୟ କହିଛନ୍ତି।
ଖଡ଼ିଆଳ ବ୍ଲକର ଘରଧରା, ବରଗାଁ, ଖୁଦପେଜ, ନେହେନା, ଗୋଡ଼ଧାପଦର ସମେତ ସୁନ୍ଦର ନଦୀ କୂଳବର୍ତୀ ବିଭିନ୍ନ ଗ୍ରାମରେ ସଡ଼କ, ଏପ୍ରୋଚ୍ ରୋଡ୍ ଓ ଅନ୍ୟାନ୍ୟ ଭିତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗୋଡ଼ଧାପଦରର ଏକ ଏପ୍ରୋଚ୍ ବ୍ରିଜ୍ରେ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ ଏହା ବିପଦଜନକ ଅବସ୍ଥାରେ ରହିଛି। ପରିଦର୍ଶନ ପରେ କ୍ଷୟକ୍ଷତିର ଏକ ବିସ୍ତୃତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ଏବଂ କ୍ଷତିଗ୍ରସ୍ତ ଅଂଚଳର ପୁନର୍ନିର୍ମାଣ, ଭିତିଭୂମି ବିକାଶ ଓ ସ୍ୱତନ୍ତ୍ର ଆର୍ôଥକ ପ୍ୟାକେଜ୍ ପାଇଁ ଦାବି କରାଯିବ। ଏହାସହ ବିଦ୍ୟୁତ୍ ସେବାକୁ ସ୍ୱାଭାବିକ କରିବା, କ୍ଷତିଗ୍ରସ୍ତ ଟ୍ରାନ୍ସଫର୍ମର ମରାମତି ଓ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ମଧ୍ୟ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ