
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ରାଜ୍ୟରେ ସମବାୟ ସଂସ୍ଥାଗୁଡ଼ିକୁ ଶକ୍ତିଶାଳୀ କରିବା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଙ୍କଜ କୁମାର ବଂଶଲ ଓଡ଼ିଶାର କଟକ ଏବଂ ଢେଙ୍କାନାଳ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକସ୍) ଗସ୍ତ କରି ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି । ଅତିରିକ୍ତ ସଚିବ ଶ୍ରୀ ବଂଶଲ ଓଡ଼ିଶାର ସମବାୟ ସମିତି ସମୂହ ନିବନ୍ଧକ (ଆରସିଏସ୍) ମନୀଷ ଅଗ୍ରୱାଲଙ୍କ ସହ କଟକସ୍ଥିତ ‘ଶ୍ରୀ ଜଗନ୍ନାଥ ଏଫଏସସିଏସ୍ ’ ଗସ୍ତ କରିଥିଲେ। ଏଫଏସସିଏସ୍ ର ସାଧାରଣ କାର୍ଯ୍ୟକାରିତା, ଋଣ ପ୍ରଦାନ ଯୋଜନା, ବ୍ୟବସାୟିକ ବିବିଧକରଣ ଏବଂ ଆଗାମୀ ଦିନରେ ସମବାୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତର ରଣନୀତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।
ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ,ଓଏସସସିବି ର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ ) ରୁଦ୍ର ପ୍ରସାଦ ଦାସ , ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ସଂଗ୍ରାମ ରାଉତ , ଡିଆରସିଏସ୍ କଟକ ସୁପ୍ରିୟା ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ଶ୍ରୀ ବଂଶଲ ଢେଙ୍କାନାଳ ଜିଲ୍ଲାସ୍ଥିତ ‘ଗେଙ୍ଗୁଟିଆ ପ୍ୟାକସ୍ ’ ଗସ୍ତ କରି ସମିତି ଦ୍ୱାରା ପରିଚାଳିତ ବହୁମୁଖୀ ବ୍ୟବସାୟିକ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ।
ଫ୍ୟାକସ୍ ଦ୍ୱାରା ସଫଳତାର ସହ ଚାଲୁଥିବା ଖାଉଟି ଷ୍ଟୋର୍ ଗ୍ୟାସ୍ ଏଜେନ୍ସି, ସାର ଓ ବିହନ ଯୋଗାଣ ଏବଂ ଧାନ ସଂଗ୍ରହ କାର୍ଯ୍ୟର ସେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ।
ସମିତିର ଉପଲବ୍ଧ ଭିତିଭୂମିକୁ ସୁଦୃଢ଼ କରିବା ଏବଂ ନୂତନ ବ୍ୟବସାୟିକ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଅଧିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଓଡ଼ିଶାର ଆରସିଏସ୍ ଶ୍ରୀ ମନୀଷ ଅଗ୍ରୱାଲ, ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସଂଗ୍ରାମ ରାଉତ, ଏସସିଡିସି ର ଆଂଚଳିକ ନିର୍ଦ୍ଦେଶକ ଅଭିଜିତ କୁଲକର୍ଣ୍ଣି , ଡିଆରସିଏସ୍ (ଢେଙ୍କାନାଳ )ଉମା ଶଙ୍କର ଦାସ , ଏଆରସିଏସ୍ (ଢେଙ୍କାନାଳ) ଅନନ୍ୟା ଶର୍ମା ଏବଂ ଫ୍ୟାକସ୍ ର ସଭାପତି ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା