
କେନ୍ଦ୍ରାପଡ଼ା, ୦୧ ଅଗଷ୍ଟ(ହି.ସ.) – ଚଳିତ ବନ୍ୟାରେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ସର୍ବାଧିକ ପ୍ରଭାବିତ ଲୁଣା–କରାଣ୍ଡିଆ ଦ୍ୱୀପାଂଚଳର ବିଭିନ୍ନ ବନ୍ୟାକ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଛନ୍ତି ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା। ସେ ମାର୍ଶାଘାଇ, ଗରଦପୁର ଓ ଡେରାବିଶ ବ୍ଲକ ଅନ୍ତର୍ଗତ ଆଇତିପୁର, ଜଳପୋକ, ବଙ୍ଗାଳପୁର, ଇନ୍ଦାଳୋ ଏବଂ ବସୁପୁର ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ସେ ବିଭିନ୍ନ ସ୍ଥାନରେ ଅଂଟାଏ ଉଚ୍ଚର ବନ୍ୟା ପାଣିରେ ପଶି କ୍ଷତିଗ୍ରସ୍ତ ପରିବାର ଓ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ବନ୍ୟାପୀଡ଼ିତଙ୍କ ପାଇଁ ପାନୀୟ ଜଳ, ଖାଦ୍ୟ, ଔଷଧ, ଗୋଖାଦ୍ୟ ଯୋଗାଣ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସରକାରୀ ବ୍ୟବସ୍ଥାର ସମୀକ୍ଷା କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଜଳପୋକ ପଂଚାୟତର ଜଳପୋକ, ପକ୍ଷଟ, କଣିବାଙ୍କ, ଶ୍ରୁତିପୁର ଓ ନାନକାର, ଆଇତିପୁର ପଂଚାୟତର ଡିହ ବଳରାମପୁର, ବାଳିସିଂ ଓ ଆଇତିପୁର, ସେହିପରି ବଙ୍ଗାଳପୁର ପଂଚାୟତର ସଲାର, ଶିଶୁଆ ଓ ସଠିଲୋ ଆଦି ଗ୍ରାମରେ ସେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ପାଣିଘେରରେ ରହିଥିବା ଘର, ରାସ୍ତାଘାଟ ଏବଂ ଜନଜୀବନର ସ୍ଥିତି ପରଖିଥିଲେ।ବନ୍ୟାପୀଡ଼ିତ ଅଂଚଳରେ ଯଥାଶୀଘ୍ର ରିଲିଫ୍ ଓ ପୁନର୍ବାସ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ସେ ଦାବି କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି