
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଏବଂ ଅନୁଧ୍ୟାନ ଅନୁଯାୟୀ, ରାଜ୍ୟର ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର ସ୍ଥିତିର ମୂଲ୍ୟାଙ୍କନ କରାଯାଇଛି। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ସମସ୍ତ ଡିସକମ୍ ମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ଡିସକମ୍ ଗୁଡ଼ିକ ପୁନରୁଦ୍ଧାର କାର୍ଯ୍ୟର ପ୍ରଗତି ବିଷୟରେ ଜଣାଇବା ସହ ନିଶ୍ଚିତ କରିଛନ୍ତି ଯେ, ବନ୍ୟା ଜଳ ହ୍ରାସ ପାଇବା ସହିତ ରାଜ୍ୟସାରା ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୯୩% ଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇସାରିଛି। ଅଧିକାଂଶ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟ ଅତି ଦ୍ରୁତ ଗତିରେ ଚାଲିଥିବା ବେଳେ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଭଳି ଜିଲ୍ଲାର ତଳିଆ ଓ ଅତ୍ୟଧିକ ଜଳମଗ୍ନ ପକେଟ୍ ଗୁଡ଼ିକରେ ଜଳସ୍ତର ନକମିବା ଏବଂ ଯାତାୟାତ ପାଇଁ ସୀମିତ ସୁବିଧା ହେତୁ ସାମାନ୍ୟ ବିଳମ୍ବ ଘଟୁଛି। ବିଦ୍ୟୁତ କର୍ମକର୍ତାମାନେ ଉଲ୍ଲେଖ କରିଛନ୍ତି ଯେ ସାମଗ୍ରିକ ବିଦ୍ୟୁତ୍ ଭିତିଭୂମିର କୌଣସି ବଡ଼ ଧରଣର ଗଠନମୂଳକ କ୍ଷତି ହୋଇନାହିଁ। ଅଚଳ କିମ୍ବା ପୋଡ଼ିଯାଇଥିବା ଟ୍ରାନ୍ସଫର୍ମରଗୁଡ଼ିକୁ ସ୍ଥାନୀୟ ସ୍ଥିତି ଅନୁଯାୟୀ ଯଥାଶୀଘ୍ର ବଦଳାଯାଉଛି।
ଜନଜୀବନ ସୁରକ୍ଷାକୁ ପ୍ରାଥମିକତା ସମ୍ପର୍କରେ ଉପ-ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶକୁ କଡାକଡି ଅନୁପାଳନ କରି, ଶକ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡିସକମ୍ ଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ ବିଦ୍ୟୁତ୍ ସେବା ପୁନରୁଦ୍ଧାର କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି; ଏହା ସହିତ ସାଧାରଣ ଜନତା ଏବଂ ଫିଲ୍ଡ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କହିଛନ୍ତି। ଜଳମଗ୍ନ ଲାଇନ୍ କିମ୍ବା ସଂସ୍ଥାପନଗୁଡ଼ିକୁ ଚାଲୁ କରିବା ପୂର୍ବରୁ ଆବଶ୍ୟକ ସୁରକ୍ଷା ଯାଂଚ କରିବା, ଦୁର୍ଗମ ଅଂଚଳଗୁଡ଼ିକରେ ଜିଲ୍ଲା ପ୍ରଶାସନ ସହ ନିବିଡ଼ ସମନ୍ୱୟ ରକ୍ଷା କରିବା, ଏବଂ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆ ମାଧ୍ୟମରେ ବିଦ୍ୟୁତ୍ ବିଭ୍ରାଟର ସ୍ଥିତି ଏବଂ ଆଶାଯୋଗ୍ୟ ସମୟ ସୀମା ବିଷୟରେ ଜନସାଧାରଣଙ୍କୁ ରିଅଲ-ଟାଇମ୍ ଅପଡେଟ୍ ଦେବା ପାଇଁ ଡିସକମ୍ ଗୁଡ଼ିକୁ ପରାମର୍ଶ ଦିଆଯାଇଛି।
..........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା