
ଭୁବନେଶ୍ୱର, ୦୧ ଅଗଷ୍ଟ (ହି.ସ)- ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ଥିବା କାରଣରୁ ଏହାର ପାଣିକୁ ରାଜ୍ୟସରକାର ସଦୁପଯୋଗ କରିପାରୁନାହାନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରୟାସ କାରଣରୁ କେନ୍ଦ୍ରର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ସହ ଛତିଶଗଡ଼ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବୈଷୟିକ ଅଧିକାରୀ ଉପସ୍ଥିତ ରହି ଏହି ବିବାଦ ସମାଧାନ ଆଡକୁ ଆଗେଇ ନେଉଛନ୍ତି । ଉଭୟ ରାଜ୍ୟ ସରକାରଙ୍କ ବୈଠକ ପରେ ଆସନ୍ତା ଦିପାବଳୀ ସୁଦ୍ଧା ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି । ଏନେଇ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଏକ ବୈଷୟିକ କମିଟି ଗଠନ କରିଛି । ମହାନଦୀର ଯେଉଁ ଜଳ ଉପରେ ଓଡ଼ିଶାର ଅଧିକାର ଅଛି, ସେଥିରୁ ଯେପରି ରାଜ୍ୟ ବଂଚିତ ନ ହେବ ସେନେଇ ଭାରତୀୟ ଜନତା ପାର୍ଟିର ସରକାର ପ୍ରୟାସ ଜାରି ରଖିଛନ୍ତି । ମାତ୍ର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଯେଉଁ ସବୁ ଅବାନ୍ତର ପ୍ରଶ୍ନ ଉଠାଯାଇଛି, ସେଥିରୁ ସେମାନଙ୍କ ନୈରାଶ ଭାବ ସ୍ପଷ୍ଟ ହୋଇଛି । କେବଳ ମିଡିଆରେ ରହିବା ପାଇଁ ବୋଧହୁଏ ବିଜେଡି ଏପ୍ରକାର ପ୍ରଶ୍ନ କରିଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ପ୍ରେସ୍ ବାର୍ତାରେ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେଡିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଜେଡି ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେମାନେ ଭୁଲିଯିବା ଯିବା ଉଚିତ ନୁହେଁ ଯେ, ମହାନଦୀ ଜଳବିବାଦ ବେଳେ ଶ୍ରୀ ମିଶ୍ର ବିଧାୟକ ରହିବା ସହ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ବାସ୍ତବରେ ମହାନଦୀ ଜଳ ବିବାଦର ସ୍ରଷ୍ଟା ହେଉଛି ବିଜେଡି । ଛତିଶଗଡ଼ ପକ୍ଷରୁ ଯେତେ ବ୍ୟାରେଜ ତିଆରି ହୋଇଛି ସେସବୁ ବିଜେଡି ସରକାର ସମୟରେ ହୋଇଛି । ମାତ୍ର ସେତେବେଳେ ଦିନେ ହେଲେ ତତ୍କାଳୀନ ବିଜେଡି ସରକାର ଅବା ତାଙ୍କ ମନ୍ତ୍ରୀ ଓ ବିଧାୟକମାନେ ପ୍ରଶ୍ନ ଉଠାଇ ନ ଥିଲେ । ବିଜେଡି ସରକାରଙ୍କ ଅଯୋଗ୍ୟତା କାରଣରୁ ଛତିଶଗଡ଼ ସରକାର ସେତେବେଳେ ମହାନଦୀରେ ଅନେକ ବ୍ୟାରେଜ ତିଆରି କରିଦେଇଥିଲା । ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗ ନିଜ ଅଧିନରେ ରଖିଥିଲେ । ମାତ୍ର ସେତେବେଳେ ସେ ମହାନଦୀରେ ଅବା କୌଣସି ଶାଖା ନଦୀରେ ଗୋଟିଏ ବି ବ୍ୟାରେଜ ନିର୍ମାଣ କରି ନଥିଲେ । ମହାନଦୀର ଜଳ ସଂରକ୍ଷଣ କରି ଓଡ଼ିଶାବାସୀଙ୍କ କାମରେ ଲଗାଇବା ପାଇଁ ଗୋଟିଏ ବି ଛୋଟ, ମଧ୍ୟମ ଅବା ବଡ଼ ପ୍ରକଳ୍ପ ସେତେବେଳେ କରାଯାଇ ନ ଥିଲା । ଖାଲି ସେତିକି ନୁହେଁ, ମହାନଦୀ ଜଳ ବିବାଦ ସମାଧାନ ନ କରି ଟ୍ରିବ୍ୟୁନାଲକୁ ଦେଇ ଦେବାରୁ ସବୁ କାମ ବନ୍ଦ ହୋଇଯାଇଥିଲା । ଏପରିକି ଟ୍ରିବ୍ୟୁନାଲକୁ ମହାନଦୀ ପ୍ରସଙ୍ଗରେ ବିଜେଡି କୌଣସି ତଥ୍ୟ ମଧ୍ୟ ଦେଇ ନଥିଲା । ଏବେ କେଉଁ ଅଧିକାରରେ ବିଜେଡି ପ୍ରଶ୍ନ ପଚାରୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହାନଦୀ ପ୍ରସଙ୍ଗରେ ବିଜେଡିର ଶସ୍ତା ରାଜନୀତିର ଅନ୍ତ କେବେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା