
ଜୟପୁର, ୧ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଧିବାସୀଙ୍କ ଜୀବନ ଜୀବିକା ସହ ଜଡିତ ହୋଇଛି ସପ୍ତାହିକ ହାଟ । କୋରପୁଟ ଜିଲାର ୧୪ଟି ବ୍ଲକରେ ସପ୍ତାହିକ ହାଟ ରହିଛି । ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା, କୁନ୍ଦୁରା, ସେମିଳିଗୁଡା, ନନ୍ଦପୁର, ଲକ୍ଷ୍ମୀପୁର, ପାଡୁଆ, ପଟାଙ୍ଗୀ ହାଟର କିଣା ବିକା ଠାରୁ ଆରମ୍ଭ କରି ସ୍ନେହ ସମ୍ପର୍କ ଆଦି ଜାବୁଡି ରଖିଛି ଏହି ହାଟ । ସାମାଜିକ ଚଳଣି ଓ ପରମ୍ପରା ସାଙ୍ଗକୁ ପର୍ବପର୍ବାଣୀ ରେ ଭରିରହିଥାଏ ଅପୂର୍ବ ମିଳନ । ଯାହା କେଉଁ ପ୍ରାଚୀନ କାଳରୁ ଆଦିବାସୀ ସାପ୍ତାହିକ ହାଟ ସହିତ ଆଦିବାସୀ,ବନବାସୀଙ୍କ ଜୀବନ ଓ ଜୀବିକା ଜଡିତ ହୋଇ ରହିଥିବା ବେଳେ ସାମାଜିକ ଜୀବନରେ ହାଟ ଏକ ଜୀବନର ମାଧ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅତୀତରେ ଏହି ସାପ୍ତାହିକ ହାଟରେ ଭାବର ଆଦାନ ପ୍ରଦାନ ସହ ବନବାସୀଙ୍କ ପୂର୍ବପୁରୁଷ କନ୍ୟା ପସନ୍ଦ କରି ବିବାହ କରିଥିବାର ବହୁ ନଜିର ରହିଛି । ସାପ୍ତାହିକ ହାଟରେ ସକାଳୁ ବେପାରୀ ଓ ଗ୍ରାହକଙ୍କ ଭିଡ ଲାଗିବା ସହ ଆରମ୍ଭ ହୁଏ କିଣାବିକା ଓ ସେହିଭଳି ହାଟ ଭିଡ ଭିତରେ ମନ ଖୋଜୁଥିବା ମଣିଷ ମଇତ୍ର, ସମୁଦୀ ଅଥବା ଆତ୍ମୀୟ ସ୍ୱଜନ ଦେଖା ମିଳିଗଲେ ପାରମ୍ପରିକ ସ୍ୱାଗତ ଜୁହାର ହେବା ସହ ତେଲଲୁଣ ସଂସାରର କ୍ଷଣିକ ଦୁଃଖ ଭୁଲିଯାଇ ଖୁସି ସମୟ ମନେ ପକାଇ ବିଭୋର ହୋଇଥାନ୍ତି ବନବାସୀ । ଏଥିସହିତ ଏହି ସାକ୍ଷାତରେ ପର୍ବପର୍ବାଣୀ ଓ ବିବାହ ନିମନ୍ତେ ନିମନ୍ତ୍ରଣ କରାଯାଏ ଓ ଆଜି ବି ସାପ୍ତାହିକ ହାଟ ଏକ ବହୁମୁଖୀ ମଞ୍ଚ ଭାବେ ପରିଚିତ । ଯେଉଁଠି ସଚେତନତା ବାର୍ତା ସହ ସରକାରୀ ଯୋଜନାର ପ୍ରଚାର ଓ ନିର୍ବାଚନ ପ୍ରଚାର କରାଯାଇଥାଏ । ଅନ୍ୟପକ୍ଷରେ ଆଦିବାସୀ ହାଟରେ ପନିପରିବା କୁଢାରେ ବିକ୍ରି ଓ ଅନ୍ୟ ଶସ୍ୟ ଦ୍ରବ୍ୟ ଡବା ମାପରେ ବିକ୍ରିର ପରମ୍ପରା ଆଜିବି ବଞ୍ଚିଛି । ଦୁଇ ଭାଗ କିଣିଲେ ଗ୍ରାହକଙ୍କ ମନଜାଣି ଗୋଟିଏ ଭାଗ ପୁରାଣୀ ଅର୍ଥାତ ମାଗଣା ଦେବା ପରମ୍ପରା ରହିଛି । ହାଟରେ ମହିଳା ବେପାରୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଏଠାରେ ଛୁଞ୍ଚି ଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ଉପକରଣ ମିଳିଥାଏ । ଆଉ ଚୁଡ଼ି ଠାରୁ ଶାଢ଼ୀ ମହିଳା ପ୍ରଶାଧନ ସାମଗ୍ରୀର ସମ୍ଭାର ଦେଖିବାକୁ ମିଳିଥାଏ ।
ମୂଷାମରା ଠାରୁ ଉକୁଣୀ ମରା ଔଷଧ ହାଟରେ ମିଳିଥାଏ ଓ ଗୋରୁ ହାଟରେ ଗାଈଗୋରୁ ଠାରୁ ଆରମ୍ଭ କରି ଛେଳି, ମେଣ୍ଢା, କୁକୁଡ଼ା ଓ ବତକ ପର୍ଯ୍ୟନ୍ତ ବିକ୍ରିହୁଏ ଓ କୁମ୍ଭାର ଠାରୁ କମ୍ଭାର ସାମଗ୍ରୀ ସହ ଆମିଷ ହାଟରେ ମାଛ, ଚିକେନ, ମଟନ ଓ ଦେଶୀ ଅଣ୍ଡା କାରବାର ହୋଇଥାଏ । ସେହିଭଳି ଧାନ, ଚାଉଳ, ବିରି, ମୁଗ, କାନ୍ଦୁଳ ଓ କୋଳଥ ସମେତ ବିଭିନ୍ନ ଶସ୍ୟ କିଣାବିକା ହୋଇଥାଏ । ହାଟରେ ଛତା ଓ ଟର୍ଚ୍ଚ ମରାମତି ସାଙ୍ଗକୁ ଦରଜି ଦୋକାନରେ ଫଟା ପୋଷାକ ମରାମତି କରାଯାଏ । ବାଉଁଶରେ ତିଆରି ଡାଲା, କୁଲା, ତଲାରୀ ବା ପକ୍ଷୀଆ ସାଙ୍ଗକୁ ବିଭିନ୍ନ ଝାଡୁ ଓ ଦଉଡି ମଧ୍ୟ କାରବାର ହୋଇଥାଏ । ତେବେ କେବଳ କିଣାବିକାରେ ସିମିତ ନଥିବା ହାଟ ପାରିବାରିକ ଓ ସାମାଜିକ ଉତ୍ସବାନୁଷ୍ଠାନ ନିମନ୍ତେ ବାର୍ତ୍ତା ବା ନିମନ୍ତ୍ରଣ ଦେବାର ପ୍ରମୁଖ ସ୍ଥଳ । ସେହିଭଳି ସରକାରଙ୍କ ବିଭିନ୍ନ ଯୋଜନା ଓ ସଚେତନତା ବାର୍ତା ପ୍ରଚାର ଲାଗି ପ୍ରମୁଖ ସ୍ଥଳ ଭାବେ ବ୍ୟବହାର ହୁଏ । ତେବେ ଏବେ ଆଧୁନିକତା ଚାପରେ ବହୁ ଅଞ୍ଚଳରେ ସାପ୍ତାହିକ ହାଟ ସଂକୁଚିତ ହେବାସହ ବିଲୁପ୍ତର ଦ୍ୱାରଦେଶରେ ଉପନୀତ । ବନବାସୀଙ୍କ ଜୀବିକା ଅପେକ୍ଷା ଜୀବନ ସହ ଜଡିତ ସାପ୍ତାହିକ ହାଟର ପୁନଃରୁଦ୍ଧାରର ଆବଶ୍ୟକ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି