
ଝାରସୁଗୁଡ଼ା, ୦୨ ଅଗଷ୍ଟ (ହି.ସ.) - ବଡମାଳ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକ ନିକଟ ୧୦ ନମ୍ବର ଜାତୀୟ ରାଜପଥରେ ରବିବାର ରାତି ପ୍ରାୟ ୧୨.୩୦ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ସମ୍ବଲପୁର ପଟୁ ସରବାହାଲ ଅଭିମୁଖେ ଯାଉଥିବା ବୋଲେରୋ (ଓଡ଼ି–୨୩–ପି–୩୧୨୪)କୁ ପଛରୁ ଆସୁଥିବା କାର (ଓଡ଼ି–୨୩–ୟୁ–୮୦୬୨) ଜୋରଦାର ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।
କାରରେ କିଷାନ ସିଂ (୨୭) ଓ ନବୀନ ସିଂ (୨୪) ଯାତ୍ରା କରୁଥିଲେ। କିଷାନ ସିଂ ଗାଡ଼ି ଚଳାଉଥିବା ବେଳେ ଦୁର୍ଘଟଣାରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନବୀନ ସିଂ ଗୁରୁତର ଆହତ ହୋଇଛନ୍ତି। ଉଭୟେ ହରିଆଣା ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡ଼ାରେ ରହୁଥିଲେ।
ଅନ୍ୟପକ୍ଷରେ ବୋଲେରୋରେ ସୁନ୍ଦରଗଡ଼ ଜିଲ୍ଲାର ସୁଦାମ ପାଉଳି (୨୪) ଓ ଚନ୍ଦ୍ର କୁମାର (୪୩) ଯାତ୍ରା କରୁଥିଲେ। ଦୁର୍ଘଟଣାରେ ସେମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ବଡମାଳ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିବାର ସଦସ୍ୟଙ୍କ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ