


ସମ୍ବଲପୁର,୦୨, ଅଗଷ୍ଟ (ହି.ସ.) ବନ ବିଭାଗ କାର୍ଯ୍ୟାଳୟ ପରିସରରେ ମୂଲ୍ୟବାନ ଶାଗୁଆନ ଗଛ କଟାଯିବା ଘଟଣାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନବାଚୀ । ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ଅଧୀନ କଦଳୀଗଡ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପରିସରରେ ପ୍ରାୟ ୧୫ ବର୍ଷ ବୟସର ୧୦ରୁ ଅଧିକ ସାଗୱାନ ଗଛ କଟର ସାହାଯ୍ୟରେ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ରେଞ୍ଜ ଅଧିକାରୀ ଇତିଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଏହି ଗଛ କଟାଯାଇଥିଲେ ମଧ୍ୟ ଟେରିଟୋରିଆଲ ବନ ବିଭାଗରୁ ଆବଶ୍ୟକ ଅନୁମତି ନିଆଯାଇ ନଥିଲା। ଘଟଣା ସମ୍ପର୍କରେ ପଚାରିବାରୁ ସମ୍ପୃକ୍ତ କର୍ମଚାରୀମାନେ କୌଣସି ସୂଚନା ନଥିବା କହି ଦାୟିତ୍ୱ ଏଡ଼ାଇଥିବା ଅଭିଯୋଗ ହୋଇଛି।
ଏପଟେ ଟେରିଟୋରିଆଲ ବନ ବିଭାଗ ଅଧୀନ ରେଢ଼ାଖୋଲ ବନଖଣ୍ଡର ବଡ଼ମାଲ ରେଞ୍ଜ ଅଧିକାରୀ ପ୍ରଜ୍ଞା ପରିମିତା ଦୀପ୍ କହିଛନ୍ତି ଯେ, ଏହି ଗଛ କାଟିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ କୌଣସି ଅନୁମତି ଆବେଦନ ଆସିନାହିଁ। ସେହିପରି ଡିଏଫଓଙ୍କ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦେଶ ମିଳିନଥିବା ସେ ସ୍ପଷ୍ଟ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠିଥିବାବେଳେ ଏହାର ନିରପେକ୍ଷ ତଦନ୍ତ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ