
ମାଲକାନଗିରି, ୦୨ ଅଗଷ୍ଟ(ହି.ସ.) – ସାମାଜିକ ଗଣମାଧ୍ୟମରେ ମାଲକାନଗିରି ଜିଲ୍ଲା ନିଯୁକ୍ତି ବୋର୍ଡ଼’ ନାମରେ ପ୍ରଚାରିତ ହେଉଥିବା ଏକ ଚାକିରି ବିଜ୍ଞାପନ ସମ୍ପୂର୍ଣ୍ଣ ଭୁଆ ବୋଲି ମାଲକାନଗିରି ପୋଲିସ ସ୍ପଷ୍ଟ କରିଛି। ଏହି ଭୁଆ ବିଜ୍ଞାପନକୁ ବିଶ୍ୱାସ କରି କେହି ପ୍ରତାରଣାର ଶିକାର ନହୁଅନ୍ତୁ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସାଧାରଣ ଜନସାଧାରଣ, ବିଶେଷକରି ବେକାର ଯୁବକ ଓ ଯୁବତୀମାନଙ୍କୁ ସତର୍କ କରାଯାଇଛି। ଏହି ସମ୍ପର୍କରେ ମାଲକାନଗିରି ଏସ୍ପି ବିନୋଦ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭୁଆ ବିଜ୍ଞାପନରେ ଦିଆଯାଇଥିବା ମୋବାଇଲ୍ ନମ୍ବରରେ କୌଣସି ପରିସ୍ଥିତିରେ ଯୋଗାଯୋଗ କରନ୍ତୁ ନାହିଁ। କାହାକୁ ଆଧାର କାର୍ଡ଼, ପାନ୍ କାର୍ଡ଼, ବ୍ୟାଙ୍କ ବିବରଣୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଓ ଆର୍ôଥକ ସୂଚନା ଦିଅନ୍ତୁ ନାହିଁ। ଚାକିରି ନାମରେ କୌଣସି ଟଙ୍କା କିମ୍ବା ପଞ୍ଜୀକରଣ ଶୁଳ୍କ ମଧ୍ୟ ପ୍ରଦାନ କରିବାକୁ ବାରଣ କରାଯାଇଛି।
ଏସ୍ପି ଶ୍ରୀ ପାଟିଲ କହିଛନ୍ତି ଯେ, ସରକାରୀ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ବିଜ୍ଞପ୍ତି କେବଳ ସରକାରଙ୍କ ଅଧିକୃତ ୱେବସାଇଟ୍ ଓ ଅଧିକୃତ ମାଧ୍ୟମରେ ଯାଂଚ କରନ୍ତୁ। ସନ୍ଦେହଜନକ ଚାକିରି ବିଜ୍ଞାପନ କିମ୍ବା ଠକେଇ ସମ୍ପର୍କରେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ସାଇବର ପୋଲିସକୁ ସୂଚନା ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।
ସାଇବର ଅପରାଧୀମାନେ ଚାକିରିର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକିବାକୁ ବିଭିନ୍ନ ଉପାୟ ଆପଣାଉଥିବାରୁ ସମସ୍ତଙ୍କୁ ସଚେତନ ଓ ସତର୍କ ରହିବା ପାଇଁ ମାଲକାନଗିରି ପୋଲିସ ପୁଣିଥରେ ଆହ୍ୱାନ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ