ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କାଉନସିଲର
ନୂଆପଡ଼ା,୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଆମ୍ବେଦକର ଛକଠାରେ ଥିବା ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ୧ ନମ୍ବର ୱାର୍ଡ କାଉନସିଲର ସୁଚିସ୍ମିତା ମହାରଣା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ପତ୍ର ପ୍ରେରଣ
Bideshi mada dokan sthanantar


ନୂଆପଡ଼ା,୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଆମ୍ବେଦକର ଛକଠାରେ ଥିବା ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ୧ ନମ୍ବର ୱାର୍ଡ କାଉନସିଲର ସୁଚିସ୍ମିତା ମହାରଣା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ପତ୍ର ପ୍ରେରଣ କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆମ୍ବେଦକର ଛକ ଖଡ଼ିଆଳ ସହରର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ। ଏଠାରେ ପ୍ରତିଦିନ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧବୃଦ୍ଧା ଏବଂ ସାଧାରଣ ଲୋକଙ୍କର ଯାତାୟାତ ଲାଗି ରହିଥାଏ। ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବିଦେଶୀ ମଦ ଦୋକାନ ଥିବାରୁ ସାମାଜିକ ପରିବେଶ ପ୍ରଭାବିତ ହେଉଥିବା ସହ ମହିଳା ଓ ଯୁବତୀମାନେ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ ହେଉଛି। ସେ ଆହୁରି କହିଛନ୍ତି ଯେ, ମଦ ଦୋକାନ ସମ୍ମୁଖରେ ପ୍ରାୟତଃ ମଦ୍ୟପଙ୍କ ଭିଡ଼ ଲାଗି ରହୁଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏହା ସହିତ ସ୍ଥାନୀୟ ବ୍ୟବସାୟୀ ଓ ଅଞ୍ଚଳବାସୀ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଉଲ୍ଲେଖ କରି ସହରର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ମଦ ଦୋକାନକୁ ଜନବସତିଠାରୁ ଦୂର ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହାସହ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ମଧ୍ୟ ଚିଠି ଦିଆଯାଇଥିବା ବେଳେ ଏହାପୂର୍ବରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆମ୍ବେଦକର ଯୁବକ ସଂଘ କାର୍ଯ୍ୟକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଦେଶୀ ମଦ ଦୋକାନ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ତଥାପି ମଦ ଦୋକାନ ସ୍ଥାନାନ୍ତର କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏହି ପତ୍ର ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande