
ଜୟପୁର, ୨ ଅଗଷ୍ଟ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟର କକ୍ଷ ସଂଖ୍ୟା ଏଲ-୨ ଠାରେ ନିଶାମୁକ୍ତ ଯୁବ ଓ ବିକଶିତ ଭାରତ ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ଏକ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ଏବଂ ସିପିଜିସି ଡ଼ଃ. ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ରହି ନିଶାମୁକ୍ତ ସମାଜ ଗଠନ ଓ ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। କୁଳପତି ପ୍ରଫେସର ହୃଷୀକେଶ ସେନାପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିଶାମୁକ୍ତ ଯୁବସମାଜ ହିଁ ଏକ ସଶକ୍ତ ଓ ବିକଶିତ ଭାରତର ମୂଳ ଆଧାର। ସେ ଛାତ୍ରଛାତ୍ରୀଙ୍କୁ ନିଜେ ନିଶାମୁକ୍ତ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ସିପିଜିସି ଡ଼ଃ ପ୍ରଶାନ୍ତ କୁମାର ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିଶାମୁକ୍ତି କେବଳ ବ୍ୟକ୍ତିଗତ ସଙ୍କଳ୍ପ ନୁହେଁ, ବରଂ ଏକ ସାମାଜିକ ଦାୟିତ୍ୱ। ଯୁବପିଢ଼ି ଯଦି ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହୁଅନ୍ତି, ତେବେ ବିକଶିତ ଭାରତର ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହେବ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ ଏବଂ ସମାଜରେ ଏହି ବାର୍ତ୍ତା ପହଞ୍ଚାଇବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ। ଡକ୍ଟର ଅରୁଣ କୁମାର ରାଜ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ପ୍ରୋଗ୍ରାମରେ ଏନସିସି, ଏନଏସଏସ ର ଛାତ୍ର ଓ ଛାତ୍ରୀମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ କ୍ୟାପ୍ଟେନ ଡ଼ଃ ଲକ୍ଷ୍ମଣ ପାତ୍ର, ସହକାରୀ ଅଧ୍ୟାପକ, ଦର୍ଶନ ବିଭାଗ ତଥା ଏନ୍.ସି.ସି. ଅଫିସର ଏବଂ ଡ଼ଃ ଋଷଭ କୁମାର ସାହୁଙ୍କ ମିଳିତ ଉଦ୍ୟମରେ ସଫଳତାର ସହ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ନଶାମୁକ୍ତ ସମାଜ ଗଠନ ଏବଂ ବିକଶିତ ଭାରତ ୨୦୪୭ର ସ୍ୱପ୍ନ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି