
କେନ୍ଦ୍ରାପଡ଼ା, ୨ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୯ଟି ବ୍ଲକ୍ ଯଥା ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, କେନ୍ଦ୍ରାପଡ଼ା, ମାର୍ଶାଘାଇ, ମହାକାଳପଡ଼ା, ରାଜନଗର ଓ ଡେରାବିଶର ୮୫ଟି ଗ୍ରାମ ପଞ୍ଚାୟତର ୧୭୦ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ମୋଟ ୮୮,୭୯୩ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧,୧୬୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ୬ଟି ରିଲିଫ କେନ୍ଦ୍ରରେ ୧,୧୬୪ ଜଣ ଆଶ୍ରୟ ନେଇଛନ୍ତି। ମୋଟ ୭ଟି ମାଗଣା ରନ୍ଧନଶାଳା କାର୍ଯ୍ୟକ୍ଷମ ରହିଥିବା ବେଳେ ୧,୨୪୯ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଜରୁରୀକାଳୀନ ରିଲିଫ ସାମଗ୍ରୀ ଭାବେ ଏପର୍ଯ୍ୟନ୍ତ ୧୧୨.୫୩ କ୍ୱିଣ୍ଟାଲ ଚାଉଳ, ୧୧.୦୩ କ୍ୱିଣ୍ଟାଲ ଚୁଡ଼ା, ୧୧ କ୍ୱିଣ୍ଟାଲ ଗୁଡ଼ ସହ ବିସ୍କୁଟ, ମହମବତୀ, ଦିଆସିଲି ଓ ୨୦୦୦ ବୋତଲ ପାନୀୟ ଜଳ ବଣ୍ଟନ କରାଯାଇଛି। ଆଜି ୩୧.୭୮ କ୍ୱିଣ୍ଟାଲ ଚାଉଳ, ୩ କ୍ୱିଣ୍ଟାଲ ଚୁଡ଼ା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୬ଟି ମେଡିକାଲ ଟିମ୍ ଓ ୯ଟି ପଶୁ ଚିକିତ୍ସା ଦଳ ନିୟୋଜିତ ରହି ଆବଶ୍ୟକ ସ୍ୱାସ୍ଥ୍ୟ ଓ ପଶୁଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।
ସେହିପରି ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ୩ଟି ଏସଆରସି ପାୱାର ବୋଟ୍, ୮୬ଟି ଦେଶୀ ଡଙ୍ଗା ଏବଂ ୧୫ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ରହିଛି। ବର୍ତ୍ତମାନ ସୁଦ୍ଧା ମାନବ ମୃତ୍ୟୁ କିମ୍ବା ପଶୁ ମୃତ୍ୟୁର କୌଣସି ଘଟଣା ଘଟିନାହିଁ। ବନ୍ୟା ଯୋଗୁଁ ୨୮,୭୫୪ଟି ପଶୁ ପ୍ରଭାବିତ ହୋଇଥିବା ବେଳେ ୭୪ଟି ଗୁହାଳ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଫସଲ କ୍ଷୟକ୍ଷତିର ଆକଳନ ବନ୍ୟାଜଳ ହ୍ରାସ ପରେ କରାଯିବ। ଜିଲ୍ଲାର ୧୧୫ଟି ରାସ୍ତା ବନ୍ୟାଜଳରେ ବୁଡ଼ି ଯାଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେବେ ବିଦ୍ୟୁତ, ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି ସେବାରେ କୌଣସି ବଡ଼ ଧରଣର କ୍ଷତି ଘଟିନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତିର ସତତ ନିରୀକ୍ଷଣ କରାଯାଉଥିବା ବେଳେ ଆବଶ୍ୟକ ସ୍ଥଳେ ଉଦ୍ଧାର, ରିଲିଫ ଓ ଅନ୍ୟାନ୍ୟ ଜରୁରୀ ସେବା ନିରନ୍ତର ଜାରି ରହିଛି। ଜନସାଧାରଣଙ୍କୁ ଗୁଜବରୁ ଦୂରେଇ ରହିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶ ମାନିବାକୁ ଅନୁରୋଧ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ରବି