ରାସ୍ତା ନଥିବାରୁ ଗର୍ଭବତୀଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସରେ ପହଞ୍ଚାଇଲେ ୧୦୮ କର୍ମଚାରୀ, ମାନବିକତାର ଉଜ୍ଜ୍ୱଳ ଉଦାହରଣ
ନୂଆପଡ଼ା,୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ପାଟଦର ଗ୍ରାମରେ ବର୍ଷା ଯୋଗୁଁ ରାସ୍ତାର ଦୟନୀୟ ଅବସ୍ଥା ମଧ୍ୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତାର ପରିଚୟ ଦେଇ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ଏକ କିଲୋମିଟର କାନ୍ଧରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣି
Garbhabati nku kandhare bohile


ନୂଆପଡ଼ା,୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ପାଟଦର ଗ୍ରାମରେ ବର୍ଷା ଯୋଗୁଁ ରାସ୍ତାର ଦୟନୀୟ ଅବସ୍ଥା ମଧ୍ୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତାର ପରିଚୟ ଦେଇ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରାୟ ଏକ କିଲୋମିଟର କାନ୍ଧରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣି ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଇଛନ୍ତି। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥାକୁ ପୁଣିଥରେ ସାମ୍ନାକୁ ଆଣିଛି। ସୂଚନା ଅନୁଯାୟୀ, ପାଟଦର ଗ୍ରାମର ପ୍ରେମଲାଲ ମାଝୀଙ୍କ ସ୍ତ୍ରୀ ଲଳିତା ମାଝୀ (୨୩)ଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପହଞ୍ଚି ପାରିନଥିଲା। ଏଭଳି ପରିସ୍ଥିତିରେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ହେମଲାଲ ବାଗ, ଫାର୍ମାସିଷ୍ଟ ରୂପେଶ କୁମାର ହେର୍ଣ୍ଣା ଏବଂ ସହଯୋଗୀ ଲାଲମୋହନ ବନ୍ଦିଛୋର୍ ମାନବିକତାର ପରିଚୟ ଦେଇ ଗର୍ଭବତୀଙ୍କୁ ପ୍ରାୟ ଏକ କିଲୋମିଟର କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ଆଣିଥିଲେ। ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା।

ଏହି ଘଟଣା ବୋଡ଼େନ ବ୍ଲକର ଗ୍ରାମାଞ୍ଚଳରେ ରାସ୍ତାର ଦୟନୀୟ ଅବସ୍ଥାକୁ ସ୍ପଷ୍ଟ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ରାସ୍ତାର ମରାମତି ହୋଇନଥିବାରୁ ବର୍ଷା ହେଲେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଫଳରେ ରୋଗୀ, ଗର୍ଭବତୀ ମହିଳା, ବୃଦ୍ଧ ଓ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାୟୀ ଭାବେ ରାସ୍ତାର ମରାମତି କରି ଲୋକଙ୍କ ଯାତାୟାତ ସୁବିଧା ସୁନିଶ୍ଚିତ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଥିଲେ, ଯେଉଁଠାରେ ଲୋକମାନେ ଅସୁବିଧାରେ ପଡ଼ନ୍ତି, ସେଠାରେ ସହଯୋଗ କରିବା ଆମର ନୈତିକ କର୍ତ୍ତବ୍ୟ। ରୋଗୀଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ ଦାୟିତ୍ୱ।

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା ପୁଣିଥରେ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି, ବିଶେଷକରି ରାସ୍ତା ସମସ୍ୟାର ଶୀଘ୍ର ସମାଧାନର ଆବଶ୍ୟକତାକୁ ସାମ୍ନାକୁ ଆଣିଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande