
ନୂଆପଡ଼ା,୨ ଅଗଷ୍ଟ (ହି.ସ.): ନୂଆପଡ଼ା ଜିଲ୍ଲା ବୋଡ଼େନ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନସ ସିଂ (୩୬)ଙ୍କ ଏକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବିଭାଗ, ସହକର୍ମୀ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଗ୍ରାମର ବାସିନ୍ଦା ମାନସ ସିଂ ବୋଡ଼େନ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିଲେ। ସେ କପଡ଼ା ସୁଖାଉଥିବା ସମୟରେ ଅସାବଧାନତାବଶତଃ ଉଚ୍ଚ ସ୍ଥାନରୁ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ତୁରନ୍ତ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ସୂଚନା ପାଇ ବୋଡ଼େନ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ବୋଡ଼େନ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବିଭାଗ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ଜଣାଯାଇଥିଲା। ଜିଲ୍ଲାସ୍ତରୀୟ ଅଧିକାରୀ ଏଏଫ୍ଓ ସଞ୍ଜୟ ସାହୁ, ବୋଡ଼େନ ଷ୍ଟେସନ ଅଧିକାରୀ (ଆଇସି) ଜିତେନ୍ଦ୍ର ଜାନୀଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ମୃତକଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ପରେ ତାଙ୍କ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ ମାନସ ସିଂଙ୍କ ପରିବାରରେ ସ୍ତ୍ରୀ ଓ ୯ ବର୍ଷର ଏକ କନ୍ୟା ସନ୍ତାନ ରହିଛନ୍ତି। ତାଙ୍କ ଅକାଳ ବିୟୋଗ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ସ୍ତ୍ରୀ ଓ ଝିଅ ବେସାହାରା ହୋଇପଡ଼ିଛନ୍ତି। ଏହି ଦୁଃଖଦ ଘଟଣାରେ ସହକର୍ମୀ, ସ୍ଥାନୀୟ ଲୋକ ଓ ବିଭାଗୀୟ ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ