
ଜୟପୁର, ୦୨ ଅଗଷ୍ଟ(ହି.ସ.) – ରାଜ୍ୟରେ ତୁରନ୍ତ ପଛୁଆ ବର୍ଗ କମିଶନ ଗଠନ କରିବାକୁ ଦାବି କରିଛି ଓବିସି ଫୋରମ୍। ଏନେଇ ଏକ ବୈଠକ ଜୟପୁର ଠାରେ ଆୟୋଜିତ ହୋଇଥିବାବେଳେ ଭାଗ ନେଇଥିବା ବିଭିନ୍ନ ସମାଜର ନେତୃ ମଣ୍ଡଳି ଦାବିକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି। ସ୍ଥାନୀୟ ଯାଦବ ଭବନ ପରିସରରେ ଆୟୋଜିତ ଏହି ବୈଠକ ଯାଦବ ମହାସଭା ସଂପାଦକ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ଏଥିରେ ଯାଦବ ମହାସଭା ପକ୍ଷରୁ ସଭାପତି ମଦନ ମୋହନ ନାୟକ, ବାରିକ ସମାଜ ପକ୍ଷରୁ ତୁଳସୀ ବେହେରା, ବଢ଼େଇ ସମାଜ ପକ୍ଷରୁ ସାହେବ ମହାରଣା, କାପୁ ସମାଜ ପକ୍ଷରୁ ୱାଇ ପ୍ରସାଦ ପ୍ରମୁଖ ମଂଚାସୀନ ରହି ନିଜ ନିଜ ମତ ରଖିଥିଲେ। ଗତ ୨୦୨୪ ଜାନୁଆରୀ ପହିଲାରୁ ରାଜ୍ୟରେ ପଛୁଆବର୍ଗ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଛି, ଫଳରେ ରାଜ୍ୟ ଜନସଂଖ୍ୟାର ଶତକଡ଼ା ୫୨ ଭାଗ ପଛୁଆବର୍ଗ ଜନସାଧାରଣ ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ମତ ପ୍ରକାଶ ପାଇଥିଲା। ତେଣୁ ରାଜ୍ୟ ସରକାର ସେମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କମିଶନ ଗଠନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ବୈଠକରେ ନରେଶ ମହାକୁଳ, ରବି ନାରାୟଣ ଗୌଡ଼, ଦଣ୍ଡାସୀ ଗୌଡ଼, ନାରାୟଣ ଗୌଡ଼, ଭାସ୍କର ଗୌଡ଼, ସୁଦର୍ଶନ ଗୌଡ଼ ପ୍ରମୁଖ ଯୋଗ ଦେଇଥିବାବେଳେ କବିରାଜ ପରମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି