
ନୂଆପଡ଼ା, ୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲାରେ ପର୍ଯ୍ୟଟନ ସୁବିଧା ଓ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ନିମନ୍ତେ ରବିବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ ବଲୱନ୍ତ ସିଂ ବୈଠକରେ ଯୋଗଦେଇ ଜିଲ୍ଲାରେ ଚାଲିଥିବା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟଯୋଜନାର ସମୀକ୍ଷା କରିଥିଲେ।
ବୈଠକରେ ଶ୍ରୀ ସିଂ କହିଥିଲେ ଯେ, ପର୍ଯ୍ୟଟନ କେବଳ ଅର୍ଥନୈତିକ ଅଭିବୃଦ୍ଧିର ମାଧ୍ୟମ ନୁହେଁ, ଏହା ସମ୍ପଦର ସୁବିଚାରିତ ବଣ୍ଟନ, ରୋଜଗାର ସୃଷ୍ଟି ଓ ସାମଗ୍ରିକ ଆର୍ଥିକ ବିକାଶର ଏକ ପ୍ରଭାବଶାଳୀ କ୍ଷେତ୍ର। ପରିବେଶ ଉପରେ ସର୍ବନିମ୍ନ ପ୍ରଭାବ ପକାଇ ସ୍ଥାୟୀ ବିକାଶକୁ ଆଗେଇ ନେବାରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ।
ପର୍ଯ୍ୟଟନ କ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଅଧିକାରୀମାନେ ସମ୍ଭାବ୍ୟ ନିବେଶକ ଓ ଉଦ୍ୟୋଗୀମାନଙ୍କୁ ଗୋ-ସ୍ୱିଫ୍ଟ (GoSWIFT) ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସବ୍ସିଡି ଓ ପ୍ରୋତ୍ସାହନମୂଳକ ସୁବିଧା ସମ୍ପର୍କରେ ସଚେତନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନିମନ୍ତେ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସୁବିଧା ପ୍ରତିଷ୍ଠା ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ଟିଖାଲି ଡ୍ୟାମ୍ ପରିସରରେ ଥିବା ବୋଟିଂ ସୁବିଧାକୁ କେନ୍ଦ୍ର କରି ବେସରକାରୀ ଭାଗିଦାରୀରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶର ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଆସନ୍ତା ଦିନରେ ଭବାନୀପାଟଣାରେ ଆୟୋଜିତ ହେବାକୁ ଥିବା ପର୍ଯ୍ୟଟନ ନିବେଶକ ଓରିଏଣ୍ଟେସନ କର୍ମଶାଳା ପାଇଁ ଜିଲ୍ଲାରୁ ୫୦ରୁ ୧୦୦ ଜଣ ଆଗ୍ରହୀ ନିବେଶକ ଓ ଉଦ୍ୟୋଗୀଙ୍କୁ ଚିହ୍ନଟ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଜିଲ୍ଲାରେ ଚାଲିଥିବା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯିବା ସହ ପଥପ୍ରାନ୍ତ ଆମେନିଟି ସେଣ୍ଟରଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା, ପରିମଳ ବ୍ୟବସ୍ଥା ଓ ଉନ୍ନତ ପରିଚାଳନା ସୁନିଶ୍ଚିତ କରିବାକୁ କମିଶନର-କମ୍-ସଚିବ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷା ବୈଠକରେ ଜ଼ିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ରଂଜିତ ନାୟକ, ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ ଆଜ଼ିଜ଼ ଖାଁ, ବନଖଣ୍ଡ ଅଧିକାରୀ ବନ୍ୟପ୍ରାଣୀ, ସମୀର ସାହୁ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନସୀମ, ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ