
ଝାରସୁଗୁଡା , 02 ଅଗଷ୍ଟ (ହି.ସ.) ସମ୍ବଲପୁରୀ ଦିନ୍ ପାଳନ ଅବସରରେ ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନ ପକ୍ଷରୁ ମିରର ଥିଏଟର ମଞ୍ଚରେ ‘ପ୍ରତିଭା ସିଜିନ-୨’ କାର୍ଯ୍ୟକ୍ରମ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ମାଆ ମାଣିକେଶ୍ୱରୀ ଓ ମାଆ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ବିଶିଷ୍ଟ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଗୁମାଡେରା ଗୌରୀଶଙ୍କର ମନ୍ଦିରରୁ ଏକ ବିଶାଳ ସମ୍ବଲପୁରୀଆ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।
ଆୟୋଜିତ ସାଂସ୍କୃତିକ ଆସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୋଗଦେଇଥିବା କଳାକାର ଓ କଳାଦଳ ଗୀତ, ନୃତ୍ୟ ଏବଂ ଲୋକସଂସ୍କୃତିଭିତ୍ତିକ ଆକର୍ଷଣୀୟ ପରିବେଷଣ କରିଥିଲେ। ହଜାର ହଜାର ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ଏହି ଅବସରରେ ଅଭିନୟ, ଗାୟନ, ସଙ୍ଗୀତ ନିର୍ଦ୍ଦେଶନା, ଫଟୋଗ୍ରାଫି, ନୃତ୍ୟ ନିର୍ଦ୍ଦେଶନା ସମେତ ମୋଟ ୯ଟି ବର୍ଗରେ ଅନଲାଇନ୍ ଭୋଟିଂ ମାଧ୍ୟମରେ ମନୋନୀତ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ସମ୍ବଲପୁରୀ ପୋଷାକ ପରିଧାନ, ଭାଷା, ଗୀତ ଓ ନୃତ୍ୟକୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମ୍ବଲପୁରୀଆ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଝାରସୁଗୁଡ଼ାର ଚଳଚ୍ଚିତ୍ର ପ୍ରଯୋଜକ ପ୍ରତାପ ବେହେରା, ମିରର ଥିଏଟରର ନିର୍ଦ୍ଦେଶକ ଡଃ ସୁବାସ ଚନ୍ଦ୍ର ପ୍ରଧାନ, ଟିଆରଏଲ କ୍ରୋସାକି ହସ୍ପିଟାଲର ଡା. ସୁଶାନ୍ତ ଜଗଦଳା ଏବଂ ଯୁବନେତା ପୁରୁଷୋତ୍ତମ ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଆୟୋଜନକୁ ସଫଳ କରିବାରେ ବେଲପାହାଡ଼ ସମ୍ବଲପୁରୀଆ ୟୁଥ୍ ଆସୋସିଏସନର ଦୀନେଶ କରାଲି, ଆୟୁଷି ଜୟସ୍ୱାଲ, ଦୀପକ ମାଝୀ, ସାବନ ଦାସ, ସୌଭାଗ୍ୟ ରଞ୍ଜନ ସାହୁ, ସୋନି ତନ୍ତୀ, ସୀତାରାମ ମେହେର, ହିମାଂଶୁ କରାଲୀ, ପ୍ରଭାସିନୀ ଚାନ୍ଦ ଓ ନିଶା ଶର୍ମାଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପ୍ରତୀକ୍ଷା ରାଣୀ ତ୍ରିପାଠୀ, ଅମନ ମହାନ୍ତି, ପୁଷ୍ପାଞ୍ଜଳି ସାହୁ, ତ୍ରିବେଦ କୁମାର ମହାନନ୍ଦ, ହରିଶ ଭୋଇ ଓ ସୋନାଲିକା ବେହେରା କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ